ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ନୂତନ ନିର୍ଦ୍ଦେଶନାମା ଜାରି କରିଛି। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ପ୍ରଶସାନ ପକ୍ଷରୁ କଟକଣା ଲଗାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ପ୍ରକର ସାମାଜିକ କାର୍ଯ୍ୟକ୍ରମ, ବାହାଘର, ପୂଜା ପାର୍ବଣ ତଥା ଯେଉଁଠି ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହେବେ ଏହାର ଅନୁମତି ଉପଜିଲ୍ଲାପାଳଙ୍କଠାରୁ ଗ୍ରହଣ କରିବା ଅନିବାର୍ଯ୍ୟ। ସେହିପରି ବ୍ୟବସାୟିକ ପ୍ରଦର୍ଶନୀକୁ ବାରଣ କରାଯିବା ସହିତ ଅତି ଆବଶ୍ୟକସ୍ଥଳେ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ନେବା ଆବଶ୍ୟକ। ସମସ୍ତ ଧାର୍ମିକସ୍ଥଳ ଗୁଡ଼ିକ ଉପଯୁକ୍ତ ସାମାଜିକ ଦୂରତା ରଖିବେ। ସେହିପରି ନାଟକ ଅବା ଅପେରା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଅନୁମତି ପରେ ନିର୍ଦ୍ଧାରିତ ଦର୍ଶକଙ୍କ ମଧ୍ୟରେ ପରିବେଷଣ କରାଯାଇପାରିବ। ଜିଲ୍ଲାର ସମସ୍ତ ଦୋକାନ ବଜାର ସକାଳ ୭ଟାରୁ ସଂନ୍ଧ୍ୟା ୮ ଯାଏ ଖୋଲା ହେବ ଏବଂ ଦୋକାନ ମଧ୍ୟରେ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିବା ଅନିବାର୍ଯ୍ୟ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ନିର୍ଦ୍ଦେଶନାମାକୁ କେହି ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶନାମା ମାର୍ଚ୍ଚ ୩୧ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସ୍କ ଶିଶୁମାନେ ବିଶେଷ ଜରୁରୀ କାମ ନଥିଲେ ଘରୁ ବାହରକୁ ବାହାରନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।