ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦ ସମାଧାନ ହେବ: ନବ ଦାସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବ । ମୁଖ୍ୟମନ୍ତ୍ରୀ ଏନେଇ ପ୍ରତ୍ୟକ୍ଷ ଭାବେର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁଛନ୍ତି। ମହାନଦୀ ବଞ୍ଚାଇବା ପାଇଁ ଗତ ୨୦୧୯ ମସିହାରେ ବ୍ୟାପକ ଆନ୍ଦୋଳନ ମଧ୍ୟ କରାଯାଇଥିଲା। ରାଜ୍ୟ ସରକାର ମହାନଦୀର ଜଳ ଅଣମୌସୁମୀ ସମୟରେ କିପରି ଓଡିଶାକୁ ମିଳିବ ସେଥିପାଇଁ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲର ଦ୍ୱାରସ୍ତ ହୋଇଛନ୍ତି। ଏହି ମାମଲା ଏବେ ବିଚାରଧୀନ ରହିଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ପ୍ରୟାସରେ ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ବିଧାୟକ କିଶୋର କୁମାର ମହାନ୍ତି କହିଛନ୍ତି ଛତିଶଗଡ ସରକାର ଶିଳ୍ପ ସଂସ୍ଥାକୁ ଜଳ ଯୋଗାଇବା ପାଇଁ ଓଡିଶାର ଚାଷୀ ଓ ମତ୍ସଜୀବୀଙ୍କ ପ୍ରତି ଅନ୍ୟାୟ କଲେ ତାହା ଓଡିଶା ସରକାର ଆଦୌ ଗ୍ରହଣ କରିବେ ନାହିଁ। ଶୀଘ୍ର ସୀମାନ୍ତ ୧୯ ଖଣ୍ଡ ମୌଜାକୁ ଯାଇ ମହାନଦୀର ଜଳସ୍ତର ତଦାରଖ କରିବାସହ ଆବଶ୍ୟକସ୍ଥଳେ ଚାଷୀ ତଥା ମତ୍ସ୍ୟଜୀବୀଙ୍କ ହକ ପାଇଁ ଲଢେଇ କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯୋଗ୍ୟଯେ, ଛତିଶଗଡ଼ର କଲମାଠାରେ ମହାନଦୀ ଉପରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ ଆରମ୍ଭ କଲାପରେ ୨୦୧୪ରୁ ଓଡିଶା ଛତିଗଡ ମଧ୍ୟରେ ମହାନଦୀ ଜଳ ବିବାଦ ଲାଗି ରହିଛି। ୭ ବର୍ଷ ହେଲାଣି ଏହି ବିବାଦର ସମାଧାନ ହୋଇ ପାରୁନାହିଁ। ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଅଣମୌସୁମୀ ସମୟରେ ଛତିଶଗଡ ସରକାର କଲମାର ସମସ୍ତ ଗୋଟ ବନ୍ଦ କରି ଉପର ମୁଣ୍ଡରେ ମହାନଦୀର ସମସ୍ତ ଜଳକୁ ରୋକି ଦେଉଛନ୍ତି। ଫଳରେ ତଳ ମୁଣ୍ଡ (ଓଡିଶା)କୁ ପାଣି ଆସି ପାରୁ ନାହିଁ। ତେଣୁ ଓଡିଶାରେ ଏବେ ମହାନଦୀ ଶୁଖା ପଡିଛି। ଫଳରେ ଓଡିଶାର ହଜାରହଜାର ଚାଷୀ ଓ ମତ୍ସଜୀବୀ ତାଙ୍କର ରୋଜଗାରର ପନ୍ଥା ହରାଉଛନ୍ତି। ବର୍ତ୍ତମାନ ଛତିଶଗଡ଼ ସରକାର କଲମାର ୬୪ଟି ଗେଟ୍ ବନ୍ଦ କରି ସାରିଲେଣି। ଫଳରେ ଖରା ଦିନ ଆରମ୍ଭ ନ ହେଉଣୁ ମହାନଦୀ ଶୁଖି ସାରିଛି। ମହାନଦୀ ଶୁଖା ପଡିବାରୁ ଉପନ୍ତା ଅଞ୍ଚଳରେ ରବି ଫସଲ ହୋଇପାରୁ ନାହିଁ। ସେହିପରି ମତ୍ସ୍ୟଜୀବୀମାନେ ନିଜର ଜୀବିକା ହରାଉଥିବାବେଳେ ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜାରେ ଭୂତଳ ଜଳସ୍ତର କମିବାରେ ଲାଗିଲାଣି। ତେଣୁ ଏହି ସମସ୍ତ ସମସ୍ୟାର ସମାଧାନ ପୂର୍ବକ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ମୁତାବକ ମହାନଦୀର ଜଳ ଓଡ଼ିଶା ପଟେ ଛାଡିବା ପାଇଁ ଛତିଶଗଡକୁ ବାଧ୍ୟ କରନ୍ତୁ ବୋଲି ଲୋକେ ଦାବି କରିଛିନ୍ତି।