ବିଏସ୍‌ଏଫ୍ ଦ୍ୱାରା ବିସ୍ଫୋରକ ଜବତ

କୋରାପୁଟ,ଏନ୍ଏନ୍ଏସ୍: ନାରାୟଣପାଟଣାରେ ଅବସ୍ଥାପିତ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ୧୫୫ ବାଟାଲିଅନର ଯବାନ ମାନେ କୁମ୍ବିଂ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି। ବିଏସ୍‌ଏଫ୍ ଯବାନ ଶନିବାର ଅପରାହ୍ଣରେ ନାରାୟଣପାଟଣା ଥାନା ପିଣ୍ଡାପଦର ଅଞ୍ଚଳର ଘଞ୍ଚ ଜଙ୍ଗଲରେ କୁମ୍ବିଂ କରୁଥିବାବେଳେ ବିସ୍ଫୋରକ ପାଇଥିବା ଜଣାପଡ଼ିଛି। ଜବତ ବିସ୍ଫୋରକ ମଧ୍ୟରେ ୬୦ଟି ଜିଲୋଟିନ୍, ୫୦ଟି ଡିଟୋନେଟର୍, ୩୦ଟି ଲୁହା ପ୍ଲେଟ୍, ୫ ବଣ୍ଡଲ୍ ବିଦ୍ୟୁତ୍ ତାର ଓ ୨.୫ କିଲୋଗ୍ରାମ ଗନ୍ ପାଉଡର୍ ଥିବା ଜଣାପଡ଼ିଛି। କୌଣସି ଅଘଟଣ ଘଟାଇବାକୁ ମାଓବାଦୀ ଏହି ସାମଗ୍ରୀ ଲୁଚାଇ ରଖିଥିବା ଅନୁମାନ କରାଯାଉଛି।