ଆକାଂକ୍ଷା ଜିଲ୍ଲା ପ୍ରଭାରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ଆକାଂକ୍ଷା ଜିଲ୍ଲା ପ୍ରଭାରୀ ତଥା ଅର୍ଥ ବିଭାଗର ଯୁଗ୍ମ ସଚିବ ରଜତ କୁମାର ମିଶ୍ରା ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲା ସଦର ମହକୁମାସ୍ଥିତ ଡିଆରଡିଏ ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ଖାଦ୍ୟ, କୌଶଳ ବିକାଶ, କର୍ମସଂସ୍ଥାନ ଉପରେ ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲାରେ କୃଷି, ଏକ ଜିଲ୍ଲା ଏକ ଦ୍ରବ୍ୟ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରଚୁର ସୁବିଧା ରହିଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବା ସହ ଭୁଲ ତଥ୍ୟ ପ୍ରଦାନ ନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପୂର୍ବରୁ ସେ ଏମଭି-୮୧ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଶିଶୁଙ୍କ ପାଇଁ ମହଜୁଦ ଥିବା ଖାଦ୍ୟର ଅନୁଧ୍ୟାନ କରିଥିଲେ। ପରେ ଉକ୍ତ ଗ୍ରାମର ବିଦ୍ୟାଳୟର ସ୍ୱଚ୍ଛ ଭାରତ ଯୋଜନା ଅଧୀନରେ ନିର୍ମାଣ ହୋଇଥିବା ପାଇଖାନା ମଧ୍ୟ ଅନୁଧ୍ୟାନ କରିଥିଲେ। ପରେ କାଲିମେଳା ତହସିଲ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଡା. ୱାଇ. ବିଜୟ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।