ଗ୍ରୀନ କାର୍ଡ ଉପରେ ଲାଗିଥିବା ରୋକକୁ ହଟାଇଲେ ବାଇଡେନ

ୱାଶିଂଟନ୍: ଭାରତୀୟଙ୍କ ପାଇଁ ଆମେରିକାରୁ ଆସିଲା ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଶ୍ୱିକ ମହାମାରୀ ସମୟରେ ଗ୍ରୀନ କାର୍ଡ ଆବେଦକଙ୍କ ଆମେରିକା ଗସ୍ତ ଉପରେ ରୋକ ଲଗାଇଥିଲେ। ଆଉ ଏବେ ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ରୋକକୁ ହଟାଇ ଦେଇଛନ୍ତି। ବାଇଡେନଙ୍କ ଏହି ପଦକ୍ଷେପ ଦ୍ୱାରା ଆମେରିକାରେ ଏଚ-୧ବି ଭିସାରେ କାମ କରୁଥିବା ଭାରତୀୟଙ୍କୁ ଲାଭ ମିଳିବ। ଗ୍ରୀନ କାର୍ଡକୁ ଆନୁଷ୍ଠାନିକ ରୂପେ ‘ସ୍ଥାୟୀ ନିବାସୀ କାର୍ଡ’ ମଧ୍ୟ କୁହାଯାଇଥାଏ। ଏହା ଆମେରିକାରେ ଆପ୍ରବାସୀଙ୍କୁ ଦିଆଯାଉଥିବା ଏମିତି ଏକ ଡକ୍ୟୁମେଣ୍ଟ ଯାହାକି ଜଣେ ବ୍ୟକ୍ତିକୁ ଦେଶରେ ସ୍ଥାୟୀ ରୂପେ ରହିବାର ଅଧିକାର ପ୍ରଦାନ କରିଥାଏ।

ବାଇଡେନ କହିଛନ୍ତି ଯେ, ବୈଧ ଆପ୍ରବାସୀଙ୍କୁ ରୋକିବା ଦ୍ୱାରା ଆମେରିକାର କ୍ଷତି ହେଉଛି। ଯେଉଁଥିରେ ଆମେରିକା ନାଗରିକ କିମ୍ବା ବୈଧ ସ୍ଥାୟୀ ନିବାସୀ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ପାରୁନାହାନ୍ତି। ଏହା ଆମେରିକାର ଉଦ୍ୟୋଗ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି ଯେଉଁଥିରେ ସମଗ୍ର ବିଶ୍ୱର ପ୍ରତିଭାଶାଳୀ ଲୋକ ସାମିଲ ଅଛନ୍ତି।