ନୀରବ ମୋଦୀଙ୍କ ଭାରତ ଫେରିବା ରାସ୍ତା ଫିଟିଲା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାରେ କୋଟିରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ହୋଇଯାଇଥିବା ନୀରବ ମୋଦୀଙ୍କ ଭାରତ ଫେରିବା ରାସ୍ତା ଫିଟିଛି। ହିରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟାର୍ପିତ କରାଯିବା ନେଇ ବ୍ରିଟେନ କୋର୍ଟ ଫଇସଲା ଶୁଣାଇଛନ୍ତି। ପ୍ରତ୍ୟାର୍ପଣରୁ ବଂଚିବା ପାଇଁ ନୀରବ କୋର୍ଟରେ ପିଟିସନ ଦାୟର କରିଥିଲେ। ଭାରତରେ ସରକାରୀ ଚାପ, ମିଡିଆ ଟ୍ରାଏଲ ଓ ଅଦାଲତର ଦୁର୍ବଳ ସ୍ଥିତିକୁ ନେଇ ନୀରବଙ୍କ ତରଫରୁ ଦିଆଯାଇଥିବା ଦଲିଲକୁ କୋର୍ଟ ଖଣ୍ଡନ କରିଥିଲେ। ଏଥିସହିତ ସେକ୍ସନ ୩ ଅନ୍ତର୍ଗତ ଭାରତ ଆସିବାର ବିପଦକୁ ମଧ୍ୟ କୋର୍ଟ ଖଣ୍ଡନ କରିଛନ୍ତି। ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ଅଛନ୍ତି।

ବ୍ରିଟେନ ଜଜ୍ କହିଛନ୍ତି ଯେ, ନୀରବ ମୋଦୀ ପୁରା ମାମଲାରେ ପ୍ରମାଣ ନଷ୍ଟ କରିବା ସହ ସାକ୍ଷ୍ୟକୁ ଧମକାଇଛି। ନୀରବ ମୋଦୀକୁ ଭାରତରେ ଚାଲୁଥିବା ମାମଲାର ଜବାବ ଦେବାକୁ ପଡ଼ିବ। ଆଉ ତାକୁ ସେଠାରେ ହିଁ ନ୍ୟାୟ ମିଳିବ। ନୀରବକୁ ମୁମ୍ବାଇର ଆର୍ଥର ରୋଡ ଜେଲର ହିଁ ରଖାଯିବ।