ସଡ଼କ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥ ଡାବରଚୁଆ ନିକଟରେ ମଙ୍ଗଳବାର ରାତିରେ ବାଇକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଶାନ୍ତିଲତା ମହାନ୍ତ(୪୦)।

ସୂଚନାନୁଯାୟୀ, ଶାନ୍ତିଲତା ସ୍ୱାମୀଙ୍କ ସହ ସଦର ଥାନା କେମ୍ପସଢ଼ା ଗ୍ରାମର ଏକ ଭୋଜିରେ ଯୋଗଦେଇ ଗାଁକୁ ଫେରୁଥିବା ବେଳେ ଡାବରଚୁଆ ନିକଟରେ ବାଇକ ସହ ଧକ୍କା ହୋଇଥିଲା। ଶାନ୍ତିଲତା ବାଇକରୁ ଛିଟିକି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାନ୍ତିଲତାଙ୍କର ମୃତ୍ୟୁ ଘଟିଛି । ଏନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।