ପୁଅକୁ ନ୍ୟାୟ ନମିଳିଲେ ଆତ୍ମହୁତି ଦେବେ ବୁଢା ବାପା ଓ ମା’

ବଲାଙ୍ଗିର,ସଇଁନ୍ତଳା,ଏନ୍ଏନ୍ଏସ୍: ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟା । ପୁଅକୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଉଛି। ପୁଅ ମୃତ୍ୟୁର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ପରିବାର ଲୋକ ଗୁହାରୀ କରିଛନ୍ତି। ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ଗଞ୍ଜାବାହାଲ ଗାଁର ଗଣପତି ବଛାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗଣପତିଙ୍କ ମୃତଦେହ ବେଲପଡ଼ା ରାସ୍ତାକଡ଼ରୁ ମିଳିଥିଲା। ଏନେଇ ପୁଲିସ ଦୁର୍ଘଟଣା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ହେଲେ ଗଣପତିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ। ଏନେଇ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ପୁଲିସ ଛାଡ଼ି ଦେଇଥିଲା। ଗତ ୨୦ ତାରିଖରେ ବଙ୍ଗୋମୁଣ୍ଡା ଥାନା ଘେରାଉ କରିବା ସହ ପୁଅ ମୃତ୍ୟୁର ନ୍ୟାୟ ପାଇଁ ପରିବାର ଲୋକ ଦାବି କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ବୁଢା ମା’ ଓ ବାପା ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଏସପିଙ୍କ ସହ ସାକ୍ଷାତ ପରେ ନିରାଶ ହୋଇ ଫେରିଥିବା ପରିବାର ଲୋକ କହିଛନ୍ତି । ଏହା ଦୁର୍ଘଟଣା କି ହତ୍ୟା ତା’ର କୌଣସି ତଥ୍ୟ ପରିବାର ଲୋକଙ୍କ ପାଖରେ ଅଛି କି ? ପୁଲିସ ତଦନ୍ତ କରୁଛି କାହିଁକି, ଥାନା ଘେରାଉ କରି ଆଇନ ଉଲଂଙ୍ଘନ କରିଛନ୍ତି ବୋଲି ଏସପି ପ୍ରଶ୍ନ କରିଥିଲେ । ତେଣୁ ଆଗାମୀ ଦିନରେ ନ୍ୟାୟ ନମିଳିଲେ ଆତ୍ମହୁତି ଦେବେ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି।