ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାରୁ ୫ ଏଟିଏମ୍ ଲୁଟେରାଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ବାଲେଶ୍ୱର ଜିଲ୍ଲା ସାଇବର ସେଲ ବିଭାଗର ସହଯୋଗରେ ଇଣ୍ଡଷ୍ଟ୍ରିଆଲ ଏରିଆ ଥାନା ପୁଲିସ ଉତ୍ତରପ୍ରଦେଶରୁ ଆସିଥିବା ଏହି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହି ଲୁଟେରାମାନେ ପ୍ରଥମେ ନିଜ ପରିଚିତ ଲୋକଙ୍କଠାରୁ ସେମାନଙ୍କ ଏଟିଏମ୍ କାର୍ଡ ମାଗିଥାନ୍ତି। ସେଥିରେ କିଛି ଟଙ୍କା ଜମା କରନ୍ତି। ଏହା ପରେ କାର୍ଡଟି ନେଇ କୌଣସି ଏକ ବ୍ୟାଙ୍କର କାଉଣ୍ଟରକୁ ଯାଇଥାନ୍ତି। ଏଟିଏମରୁ ନିଜେ ଜମା କରିଥିବା ଟଙ୍କାକୁ ବାହାର କରିବାକୁ ଚେଷ୍ଟା କରନ୍ତି। ଏଟିଏମରୁ ଟଙ୍କା ବାହାରିବା ବେଳେ କ୍ୟାସ ଡିସପେନସରର ସଟରକୁ ଚିପି ଧରନ୍ତି। ଏଟିଏମଟି କିଛିଥର ଆଲର୍ଟ ଦେବା ପରେ ଟ୍ରାଞ୍ଜାକ୍ସନ କ୍ୟାନ୍ସଲ ହୋଇଯାଇଥାଏ। ଏହି ସମୟରେ ଠକେଇ କରିଥିବା ଲୋକଟି ଡିସପେନସର ସଟରରୁ ହାତ କାଢ଼ି ଦେଇଥାଏ। ଫଳରେ ଏଟିଏମରେ ଅଟକି ରହିଥିବା ଟଙ୍କା ବାହାରକୁ ଆସିଯାଏ। ହେଲେ ବ୍ୟାଙ୍କ ସର୍ଭରରେ ଟ୍ରାଞ୍ଜାକ୍ସନ ହୋଇନାହିଁ ବୋଲି ରେକର୍ଡ ହୋଇଯାଏ।
