ରେଳଷ୍ଟେସନରୁ ନାବାଳିକାକୁ ଉଦ୍ଧାର କଲେ ଆରପିଏଫ୍‌

ବଲାଙ୍ଗିର,ଏନ୍ଏନ୍ଏସ୍: ଟିଟିଲାଗଡ଼ ରେଳ ଷ୍ଟେସନରେ ଜଣେ ଛୋଟ ନାବାଳିକା ବୁଲୁଥିବାର ଦେଖି ଆରପିଏଫ ପଚରାଉଚରା କରିଥିଲା। ତେବେ ଛୋଟ ଝିଅଟି ଏକୁଟିଆ ଟ୍ରେନରେ ବସି ପଳାଇ ଆସିଥିବା ଜଣାପଡ଼ିଛି। ଝିଅଟି ସ୍ପଷ୍ଟ ଭାବେ ନିଜ ପରିଚୟ ଦେଇ ପାରିନଥିଲେ ମଧ୍ୟ ଝିଅଟିର ନାମ କାଜଲ ସୁନାନୀ ବୋଲି ଜଣାପଡ଼ିଛି। ଝିଅଟିର କହିବା ଅନୁସାରେ ତାଙ୍କ ଘରେ ଥିବା ଏକ ଟଙ୍କା ବାକ୍ସ ଚୋରି କରିଥିବାରୁ ତା’ର ବାପା, ବଡ଼ଭାଇ ଓ ଭାଉଜ ମାଡ଼ ମାରିଥିଲେ। ଫଳରେ ସେ ଘର ଛାଡ଼ି ମହାସମୁନ୍ଦ ରେଳଷ୍ଟେସନରେ ଟ୍ରେନରେ ବସି ପଳେଇ ଆସିଛି।

ନାବାଳିକାଟିର ବୟସ ୧୫, ବାପାଙ୍କ ନାମ ମଧୁରାମ ସୁନାନୀ ଓ ସେ ଛତିଶଗଡ ରାଜ୍ୟ ମହାସମୁନ୍ଦ ନିକଟସ୍ଥ ପୁରୁଣାକାଟି ଗାଁର ୱାର୍ଡ ନମ୍ବର ୨୦ରେ ରହେ ବୋଲି କହିଛି। କିନ୍ତୁ ପରିଚୟ ଓ ଠିକଣା ସମ୍ପୂର୍ଣ୍ଣ ପ୍ରମାଣ ହୋଇ ପାରିନଥିବାରୁ ଆରପିଏଫ୍‌ ଠାରୁ ଖବରପାଇ ଚାଇଲ୍ଡଲାଇନର ଟିଟିଲାଗଡ ସଦସ୍ୟ ଶିବାନନ୍ଦ ବେହେରା ଓ ବଲାଙ୍ଗିର ସଦସ୍ୟ ସ୍ୱର୍ଣ୍ଣପ୍ରଭା ଡାଙ୍ଗ ପହଞ୍ଚିଥିଲେ। ଶ୍ରୀ ବେହେରା ଓ ତାଙ୍କ ସହଯୋଗୀ ଝିଅଟିକୁ ଶିଶୁ ମଙ୍ଗଳ ସମିତି (ଚାଇଲ୍ଡ ୱେଲଫେଆର କମିଟି) ସମ୍ମୁଖରେ ଉପସ୍ଥିତ କରିଥିଲେ। ଏହାପରେ ସେମାନେ ଉଦ୍ଧାର ହୋଇଥିବା

ଛୋଟ ଝିଅକୁ ବଲାଙ୍ଗିର ଜିଲ୍ଲା ପଥରଚେପା ଠାରେ ଥିବା ଏକ ଆଶ୍ରମରେ ଅସ୍ଥାୟୀ ଭାବେ ରଖିଥିବା ସୂଚନା ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ଝିଅଟିର ସମ୍ପୂର୍ଣ୍ଣ ପରିଚୟ ଓ ଠିକଣା ଜଣା ନ ପଡ଼ିଛି, ସେ ପର୍ଯ୍ୟନ୍ତ ଝିଅଟି ଆଶ୍ରମରେ ରହିବ ବୋଲି କହିଛନ୍ତି। ସେପଟେ ପୁଲିସ ଓ ଚାଇଲ୍ଡ ଲାଇନ୍ ଯଥା ଶୀଘ୍ର ଠିକଣା ଖୋଜି ବାହାର କରିବା ପାଇଁ ତଦନ୍ତ ଆରମ୍ଭ କରିଛି।