ଏମଏସପି ଥିଲା, ଏମଏସପି ଅଛି ଓ ଏମଏସପି ରହିବ: ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟସଭାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣର ଉତ୍ତର ଦେଇ ମୋଦୀ କହିଛନ୍ତି କି ସଦନରେ କୃଷକ ଆନ୍ଦୋଳନକୁ ନେଇ ଭରପୂର ଚର୍ଚ୍ଚା ହୋଇଛି। କୃଷକ ଆନ୍ଦୋଳନରେ ରାଜନୀତି ଅଧିକ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗରେ ବିପକ୍ଷ ହଠାତ୍ ୟୁ-ଟର୍ଣ୍ଣ ନେଇଛି। ଏଥିସହିତ ଆନ୍ଦୋଳନ ଶେଷ କରିବା ପାଇଁ ମୋଦୀ କୃଷକଙ୍କୁ ଆହ୍ୱାନ ଦେଇଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, କୃଷି ଆଇନ ଦ୍ୱାରା କୌଣସି ପରିବର୍ତ୍ତନ ହେଉଛି କି ନାହିଁ ଆମେ ଥରେ ଦେଖିବା ଉଚିତ। କିଛି ସମସ୍ୟା ରହିଲେ ତାକୁ ସୁଧାରିବା। ମଣ୍ଡି ଆହୁରି ଆଧୁନିକ ହେବ ବୋଲି ମୁଁ ଆପଣଙ୍କୁ ଭରସା ଦେଉଛି। ଆଉ ଏମଏସପି ଥିଲା, ଏମଏସପି ଅଛି ଓ ଏମଏସପି ରହିବ। ୮୦ କୋଟି ଲୋକଙ୍କୁ ଯେଉଁ ଶସ୍ତା ରାସନ ଦିଆଯାଉଛି ତାହା ମଧ୍ୟ ଲଗାତାର ଦିଆଯିିବ।

ଏହାପୂର୍ବରୁ ମୋଦୀ କହିଥିଲେ ଯେ, ରାଷ୍ଟ୍ରପତି ଜୀଙ୍କ ଭାଷଣ ଶୁଣିବା ପାଇଁ ଯଦି ସମସ୍ତେ ଉପସ୍ଥିତ ଥାଆନ୍ତେ ତେବେ ଲୋକତନ୍ତ୍ରର ଗରିମା ଆହୁରି ବଢ଼ିଥାନ୍ତା। କିନ୍ତୁ ରାଷ୍ଟ୍ରପତି ଜୀଙ୍କ ଭାଷଣରେ ଏତେ ଶକ୍ତି ଥିଲା କି ନଶୁଣିବା ପରେ ମଧ୍ୟ ତାଙ୍କ କଥା ସମସ୍ତଙ୍କଠାରେ ପହଞ୍ଚିଗଲା।