ପୁରୁଣା ମୁଖ୍ୟ ଚିକିତ୍ସାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ : ବିଜେପି

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି । ଏହି ଦାବିପତ୍ରରେ ଖେଦାପାଲିକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ ଏକବର୍ଷ ପୂରଣ ହୋଇଥିବାବେଳେ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା ସତ୍ୱେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ପୁରୁଣା ଡାକ୍ତରଖାନାରେ ଡାକ୍ତର ଅଭାବଠାରୁ ନର୍ସ, ଟେକନିସିଆନ ପରି ବହୁ ପଦବି ଖାଲି ରହିଛି । ଯଦ୍ୱାରା ସହରବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସୁରେଶ୍ୱର ଶତପଥୀ, ରବିନାରାୟଣ ଦାଶ, ଇଶ୍ୱର ବାଗ, ଅବନୀକାନ୍ତ ପଣ୍ଡା, ଅମିତ ପଣ୍ଡା, ଦେବିକା ସିକା, ସାରଥୀ ମେହେର ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।