ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ହୋଇଥିବା ସର୍ଭେ ଅନୁଯାୟୀ ଜିଲ୍ଲାରେ ସର୍ବମୋଟ ୩୭୮ ଜଣ ପିତୃମାତୃହୀନ ଶିଶୁ ଓ ୩୪୪୮ ଜଣ ଶିଶୁ ପିତାଙ୍କ ମୃତ୍ୟୁ ପରେ ମାଆଙ୍କ ସହ ରହୁଛନ୍ତି । ଅନାଥ ଶିଶୁ ମାନଙ୍କ ମଧ୍ୟରୁ ୦-୩ ବର୍ଷ ମଧ୍ୟରେ ୨% , ୩-୫ ବର୍ଷ ମଧ୍ୟରେ ୬% , ୬-୧୪ ବର୍ଷ ମଧ୍ୟରେ ୬୧% ଓ ୧୫-୧୮ ବର୍ଷ ମଧ୍ୟରେ ୩୧% ଅଛନ୍ତି । ମୋଟ ଅନାଥ ଶିଶୁମାନଙ୍କ ମଧ୍ୟରୁ ୧୮୨ ଜଣ ବାଳିକା ନିଜ ସମ୍ପର୍କୀୟଙ୍କ ପାଖରେ କିମ୍ବା ଶିଶୁ ଗୃହରେ ରହୁଛନ୍ତି। ଏହି ଅବହେଳିତ ଶିଶୁମାନେ ଦୁରଦୁରାନ୍ତରୁ ଜିଲ୍ଲା ସଦର ମହକୁମାକୁ ଆସି ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ପାରୁନାହାଁନ୍ତି। ତେଣୁ ଶିଶୁମାନଙ୍କ ଥଇଥାନ ପାଇଁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିଷ୍ପତ୍ତି କ୍ରମେ ବ୍ଲକସ୍ତରରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ହେଉଛି। ମାସର ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ବୁଧବାର ଯଥାକ୍ରମେ ତିଳେଇବଣୀ , ରିଆମାଳ ଓ ବାରକୋଟରେ ଆଇସିଡିଏସର ସଭା ଗୃହରେ ଏହି ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଆୟୋଜିତ ହେଉଛି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ୱାବଧାନ ଓ ଚାଇଲ୍ଡ ଲାଇନର ପରିଚାଳନାରେ ଆୟୋଜିତ ଶିଶୁମାନଙ୍କ ଏହି ସ୍ୱତନ୍ତ୍ର ଅଭିଯୋଗ ଶୁଣାଣିରେ ସିଡବ୍ଲୁସି ଅଧ୍ୟକ୍ଷ ଅତୁଲ୍ୟ ପୂଜାରୀ ଓ ସଦସ୍ୟ ଭାସ୍କର ଚନ୍ଦ୍ର ନାଥ, ଜ୍ୟୋଷ୍ଣାରାଣୀ ମିଶ୍ର ଓ ଡାକ୍ତର ଗିରେନ୍ଦ୍ର ସାହୁଙ୍କ ସହିତ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅବହେଳିତ ଶିଶୁମାନଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଥିବା ଦେଖିବାକୁ ମିଳୁଛି । ଗତ ୨୩ ତାରିଖରେ ରିଆମାଳରେ ୨୧୪ ଓ ୨୭ ଆଜି ବାରକୋଟରେ ୪୮ ଜଣ ଶିଶୁଙ୍କ ଅଭିଯୋଗ ଶୁଣାଣି କରାଯାଇଛି। ୧୨ ଜଣ ଶିଶୁଙ୍କୁ ଚିହ୍ନଟକରି ଶିଶୁ ଗୃହରେ ଆଶ୍ରୟ ଦିଆଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।