ବାବୁସାନଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ଗୋଡ଼ ଭାଙ୍ଗିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିନେ ଅଭିନେତା ବାବୁସାନଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସଂପୃକ୍ତ ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଖଣ୍ଡଗିରି ଶ୍ୟାମପୁର ନିକଟରେ ଲୋକେ ହୋହଲ୍ଲା କରିବା ସହ ଗାଡ଼ିକୁ ଅଟକ ରଖିଛନ୍ତି।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛି। ସୋମବାର ସନ୍ଧ୍ୟାରେ ଅଭିନେତା ବାବୁସାନ ଏକ ନୂଆଗାଡ଼ିରେ କଳିଙ୍ଗନଗର ପଟୁ ଖଣ୍ଡଗିରି ଆଡ଼କୁ ଆସୁଥିଲେ। ଶ୍ୟାମପୁର ଛକ ନିକଟରେ ଜଣେ ଯୁବକ ରାସ୍ତାପାର ହେଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ।

ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଦାବି କରି ସ୍ଥାନୀୟ ଲୋକେ ହୋହାଲ୍ଲା କରିଥିଲେ। ଗାଡ଼ିରେ ବସିଥିବା ବାବୁସାନ ଓହ୍ଲାଇ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିଲେ। ହେଲେ ଲୋକେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେ ଘଟଣାସ୍ଥଳରେ ଗାଡ଼ି ଛାଡି ଚମ୍ପଟ ମାରିଥିଲେ।

ଲୋକେ ଗାଡ଼ିକୁ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଖଣ୍ଡଗିରି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛି। ତେବେ ଏନେଇ ବାବୁସାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।