ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ୫ଟି କେନ୍ଦ୍ରରେ କୋଭିଡ-୧୯ ଟିକା ପ୍ରଦାନ କରାଯାଇଛି। ଜିଲ୍ଲାର ମୋଟ ୫,୨୯୦ ଜଣ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩,୬୦୦ଟି କୋଭିସିଲ୍ଡ ଟିକା ଆସିଥିବାବେଳେ ପ୍ରାୟ ୩,୬୦୦ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୦୮୮ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଆଜି ଟିକାକରଣର ତୃତୀୟ ଦିନରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମେତ ମାଥିଲି, କାଲିମେଳା, ଖଇରପୁଟ ଓ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯାଉଛି। ଟିକାକରଣ ପାଇଁ ଜଣେ ଟିକାଦାନକାରୀ ଓ ୪ଜଣ ଟିକାକରଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ସିକ୍ୟୁରିଟି ଗାର୍ଡମାନେ ଟିକା ନେଉଥିବା ପରିଲକ୍ଷିତ ହୋଇଛି। ଆଜି ଜିଲ୍ଲାର ୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୮୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କାହା ନିକଟରେ ଜଟିଳ ପାଶ୍ୱର୍ ପ୍ରତ୍ରିକିୟା ଦେଖାଯାଇନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି।