ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଥାନା ଅନ୍ତର୍ଗତ ହରିଓଁ ବିହାରରେ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଘରେ ନିଆଁ ଲଗାଇ ମା’, ଭାଇ, ଭଉଣୀ ଓ ଭାଣିଜୀକୁ ହତ୍ୟା କରିବା ପାଇଁ ରବିନ୍ଦ୍ର ସିଂ ଉଦ୍ୟମ କରିଥିଲା। ତେବେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ସେଠାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରିଥିଲେ। ସେଠାରେ ମୃତ୍ୟୁ ସହ ସଂଗ୍ରାମ କରି ଚିକିତ୍ସାଧୀନ ଅବସ୍ଥାରେ ଆଜି ରବିନ୍ଦ୍ରର ଭାଣିଜୀ ଇସ୍ମିତ କୌର(୭) ପ୍ରାଣ ହରାଇଛନ୍ତି। ଅନ୍ୟପଟେ ପରିବାରର ଅନ୍ୟମାନଙ୍କ ଚିକିତ୍ସା ଆଇଜିଏଚରେ ଜାରି ରହିଛି।
ପ୍ରକାଶଯୋଗ୍ୟ, ରବିନ୍ଦ୍ର ପ୍ରେମ ବିବାହ କରିଥିବାରୁ ପରିବାର ଲୋକେ ତାଙ୍କ ସ୍ତ୍ରୀକୁ ଗ୍ରହଣ କରୁନଥିଲେ। ରବିନ୍ଦ୍ର ନିଜ ସ୍ତ୍ରୀକୁ କଲିକତାରୁ ହରିଓଁ ବିହାରର ଘରକୁ ଆଣିବା ପାଇଁ ବହୁଥର ଚେଷ୍ଟା କରିଥିଲେ ହେଁ ପରିବାର ଲୋକେ ଏଥିରେ ବାଧା ଦେଉଥିଲେ। ସ୍ତ୍ରୀକୁ ଘରକୁ ଆଣିଲେ କାଳେ ପରିବାର ଲୋକେ ତାଙ୍କୁ ସମ୍ପତ୍ତିରେ ଭାଗ ଦେବେନି ସେହି ଭୟରେ ସେ ସ୍ତ୍ରୀକୁ ଘରକୁ ଆଣୁ ନଥିଲେ। ତେବେ ଗତ ୧୦/୧୧ ତାରିଖ ସମ୍ପତ୍ତି ଭାଗ ଓ ସ୍ତ୍ରୀକୁ ଘରକୁ ଆଣିବା ନେଇ ରବିନ୍ଦ୍ରଙ୍କର ପରିବାର ଲୋକଙ୍କ ସହ ପୁଣି ଝଗଡ଼ା ହୋଇଥିଲା। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ସମସ୍ତଙ୍କୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବା ପାଇଁ ୨ଜଣ ସହଯୋଗୀ ସହ ମିଶିି ଘର ଭିତରେ ବଡ ଭାଇ, ମା’, ଭଉଣୀ ଓ ଭାଣିଜୀ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲା। ତେବେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରବିନ୍ଦ୍ର ସିଂ(୩୦), ବ୍ଲେସନ ତାଣ୍ଡି(୧୯) ଓ ଜଣେ ନାବାଳକକୁ ଗିରଫ କରିିଛି।