ଛତିଶଗଡ଼ ସରକାର ଦ୍ୱାରା ସାବେରୀ ନଦୀରେ ନିର୍ମାଣାଧୀନ ଡ୍ୟାମକୁ ଆଦିବାସୀଙ୍କ ବିରୋଧ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ସୀମାନ୍ତ ସାବେରୀ ନଦୀରେ ଛତିଶଗଡ଼ ସରକାର କୁକରଲଠାରେ ନିର୍ମାଣାଧୀନ ଡ୍ୟାମକୁ ଆଦିବାସୀମାନେ ବିରୋଧ କରିଛନ୍ତି। ଏହାକୁ ବିରୋଧ କରି ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ ୭ଟି ପଞ୍ଚାୟତର ଶହ ଶହ ଜନସାଧାରଣଙ୍କ କମାରପଲ୍ଲୀଠାରେ ଏକ ଶୋଭାଯାତ୍ରା ଓ ବୈଠକ ଅନୁଷ୍ଠିତ ହୋଇଛି। ଏହି ଡ୍ୟାମ ହେଲେ ମାଥିଲି ବ୍ଲକର ୭ ଖଣ୍ଡ ପଞ୍ଚାୟତର ୪୮ଟି ଗ୍ରାମ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି।

ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଶହ ଶହ ଏକର ଚାଷ ଜମି ନଷ୍ଟ ହେବା ସହ ଅନେକ ଘର ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା ସହ ବକ୍ସାଇଟ ଖଣି ସରକାର ଲିଜ ଦେଇଥିବାରୁ ସ୍ଥାନୀୟ ଲୋକେ ବର୍ଷ ବର୍ଷ ଧରି ନିର୍ଭର କରିଆସୁଥିବା ଜଙ୍ଗଲ ନଷ୍ଟ ହେବା ସହ ଜୀବିକା ହରାଇବେ। ଏହି ଦୁଇ ଦଫା ଦାବି ନେଇ ସ୍ଥାନୀୟ ଜନସାଧାରଣ ମାଥିଲି ବ୍ଲକ୍ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଆଗାମୀ ଦିନରେ ଖଣି ବନ୍ଦ କରିବା ସହ ଡ୍ୟାମ କାର୍ଯ୍ୟକୁ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନେବା ପାଇଁ ଦାବି କରାଯାଇଥିଲା।

ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।