ରୋଡସେଲ ପରିବହନରେ ସମସ୍ୟା, ଲଖନପୁର ପିଓ ଅଫିସ ଘେରିଲା ମା’ ସମଲେଶ୍ୱରୀ ଟ୍ରକ ମାଲିକ ସଙ୍ଘ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରୋଡସେଲ ମାଧ୍ୟମରେ ଟ୍ରକ ଗୁଡିକୁ ସଠିକ ସମୟରେ ଏବଂ ଆବଶ୍ୟକୀୟ ପରିମାଣର କୋଇଲା ଯୋଗାଇଦେବା ଦାବିରେ ଆଜି ବନ୍ଧବାହଲ ମା’ ସମଲେଶ୍ୱରୀ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଲଖନପୁର ପ୍ରୋଜେକ୍ଟ ଅଫିସ ଘେରାଉ କରିଛି। ଏହାସହ ଲଖନପୁର କୋଇଲା ଖଣିରୁ ସାଇଡିଂକୁ କୋଇଲା ପରିବାହନ କରୁଥିବା ସମସ୍ତ ହାଇୱା ଗାଡିଗୁଡିକୁ ରୋକି ଆନ୍ଦୋଳନ କରିଛନ୍ତି। ସେମାନେ କହିଛନ୍ତି ଏମସିଏଲ ରେଳ ସାଇଡିଂରେ ସମସ୍ତ ଭଲ କୋଇଲାକୁ ପକାଇ ରେଳ ମାଧ୍ୟମରେ କୋଇଲା ପରିବହନ କରିବାରେ ଗୁରୁତ୍ୱ ଦେଇ ରୋଡସେଲକୁ ଅଣଦେଖା କରୁଛି।

ରୋଡସେଲକୁ ଆବଶ୍ୟକ ପରିମାଣର ଏବଂ ଭଲ କୋଇଲା ଯୋଗାଉ ନାହିଁ। ଫଳରେ ମା’ ସମଲେଶ୍ୱରୀ ଟ୍ରକ ସଙ୍ଘର ପ୍ରାୟ ୧୫ ଶହ ଟ୍ରକ ମାଲିକ ଆବଶ୍ୟକୀୟ ଲୋଡିଂ ନପାଇ କ୍ଷତି ଗ୍ରସ୍ତ ହେଉଛନ୍ତି। ତାଙ୍କ ସହ ଟ୍ରକ ଉପରେ ନିର୍ଭର କରୁଥିବା ହଜାର ହଜାର ଡ୍ରାଇଭର ହେଲପରମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଏମସିଏଲ ରୋଡସେଲକୁ ଉତ୍ତମ କୋଇଲା ଯୋଗାଇବା ସହ ଟ୍ରକଗୁଡିକୁ ଆବଶ୍ୟକୀୟ ଲୋଡିଂ ପ୍ରଦାନ କରୁ ବୋଲି ଟ୍ରକମାଲିକମାନେ ଦାବି କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ, ଏମସିଏଲ, ସ୍ଥାନୀୟ କମ୍ପାନୀ କର୍ତ୍ତୃପକ୍ଷ ଓ ଟ୍ରକ ମାଲିକ ସଙ୍ଘର ବୈଠକରେ ନିଷ୍ପତି ହୋଇଥିଲା ଯେ, ସ୍ଥାନୀୟ କମ୍ପାନୀର ଆବଶ୍ୟକତା ଅନୁଯାୟୀ ୩ ହଜାର ଜେସିବିର ଭଲ କୋଇଲା ରୋଡସେଲ ମାଧ୍ୟମରେ ଟ୍ରକ ଦ୍ୱାରା ପରିବହନ କରାଯିବା ନେଇ ଏମସିଏଲ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ହେଲେ ସେହି ପ୍ରତିଶୃତିକୁ ପାଣିର ଗାର କରି ଏମସିଏଲ କର୍ତ୍ତୃପକ୍ଷ ରୋଡସେଲକୁ ଭଲ କୋଇଲା ଯୋଗାଉ ନଥିବାରୁ ଟ୍ରକମାଲିକମାନେ କ୍ଷତି ଗ୍ରସ୍ତ ହେଉଛନ୍ତି।

ତେଣୁ ଏମସିଏଲ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରୋଡସେଲକୁ କୋଇଲା ପ୍ରଦାନକରୁ ବୋଲି ଟ୍ରକ ମାଲିକମାନେ ଦାବି କରିଥିଲେ। ଲଖନୁପରୁର ଖଣିକ୍ଷେତ୍ରର ଜିଏମ ଅନିଲ କୁମାର ସିଂ ଓ ପ୍ରୋଜେକ୍ଟ ଅଫିସର ୟୁରେନ ପଟ୍ଟନାୟକ ରୋଡସେଲ ମାଧ୍ୟମରେ ଆବଶ୍ୟକ ପରିମାଣ ଭଲ କୋଇଲା ଟ୍ରକ ମାଧ୍ୟମରେ ପରିବହନ କରାଇବାର ପ୍ରତିଶୃତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଖଣିରୁ ସାଇଡିଂକୁ କୋଇଲା ପରିବହନ ସ୍ୱାଭାବିକ ହୋଇଥିଲା।