ପୁଣି ଚୀନକୁ କରୋନା ଚିନ୍ତା: ପ୍ରସ୍ତୁତ ହେଉଛି କ୍ୱାରେଣ୍ଟାଇନ ସେଣ୍ଟର

ବେଇଜିଂ,ଏଜେନ୍ସି: ଚୀନକୁ ଘାରିଛି ପୁଣି କରୋନା ଭୟ। ସାରା ବିଶ୍ୱ ଯେତେବେଳେ କରୋନା ଭ୍ୟାକସିନ୍ ଜରିଆରେ ଆଶାର ଆଲୋକ ଦେଖୁଛି ସେତେବେଳେ ଚାଇନାରେ ପୁଣି ଥରେ ଘାତକ କରୋନା ବ୍ୟାପିଛି। ହେବେଇ ଏବଂ ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତର କରୋନା ବ୍ୟାପିଥିବା ଜଣାପଡ଼ିଛି। ଏହି ଦୁଇଟି ସ୍ଥାନରେ ଲକଡାଉନ୍ ଜାରି କରାଯାଇଛି। ୩୩ ହେକ୍ଟର ଜମିରେ ଶିଜିଆଜୁହାଂରେ ଏହି ବିଶାଳକାୟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଛି। ଯେଉଁଠି ୬୦୦ ଜଣ କ୍ୱାରେଣ୍ଟାଇନ ସେଣ୍ଟର ତିଆରିରେ ନିୟୋଜିତ ଥିବା ବେଳେ ୧୦୦ଟି ବଡ଼ ବଡ଼ ମେସିନ୍ ୨୪ ଘଣ୍ଟା ଧରି ଚାଲୁଥିବା ସୂଚନା ରହିଛି।

ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ ଜାନୁଆରୀ ୧୪ ସୁଦ୍ଧା ହଜାରେ ଜଣେ କରୋନାରେ ଚିକିତ୍ସାଧୀନ ଥିଲେ। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୧୪୪ ଜଣଙ୍କ ମଧ୍ୟରୁ ୨୬ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସେହିପରି ୩ ହଜାର ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ୱର ଅନ୍ତିମ ସପ୍ତାହରେ କରୋନା ବ୍ୟାପିବା ପରେ ଉହାନରେ ଏହି ଭଳି ବିଶାଳ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି କରିଥିଲା ବେଜିଂ ସରକାର। ଏମିତିକି ଉହାନକୁ ଯିବା ଆସିବା ଉପରେ ରୋକ୍ ଲାଗିଥିଲା। ଏବେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ହେଲେ ବେଇଜିଂ ଏବେ ନିରବ ରହିଛି।