ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଥମ କୋଭିଡ ଟିକାକରଣ: ୧୦୦ରୁ ୬୦ ଜଣ ନେଲେ ଟିକା

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ କୋଭିଡ ଟିକାକରଣ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ରିଆମାଳ ବ୍ଲକ୍ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ମହିଳା ପରିଦର୍ଶିକା ରୀନା ଗୁହା ଓ ଅମିତା ସାହୁ ଟିକାକରଣ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ଜିତେନ୍ଦ୍ରୀୟ ସାହୁ ଯାଞ୍ଚ କରିଥିଲେ।

କବିତା ପାଣି ପର୍ଯ୍ୟବେକ୍ଷଣ କକ୍ଷର କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ସିଲୁ ପ୍ରଧାନ ଓ ଜ୍ଞାନେନ୍ଦ୍ର ପ୍ରଧାନ ପ୍ରମୁଖ ସୁରକ୍ଷା କର୍ମୀ ପ୍ରତୀକ୍ଷାଳୟ ଗୃହର କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଝାଡୁଦାର ଟିକି ନାୟକ ପ୍ରଥମ କୋଭିଡ ଟିକା ନେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀକାନ୍ତ ବିଶି ଓ ଡାକ୍ତର ସଞ୍ଜୟ କୁମାର ପାଣି ଉପସ୍ଥିତ ଥିବା ବେଳେ ବିପିଏମ ଆଶୁତୋଷ ଦାଶ ଓ ରାଜକିଶୋର ପଟେଲ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ଉକ୍ତ ଗୋଷ୍ଠୀ କେନ୍ଦ୍ରରେ ଆଜି ଶହେ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଥିଲା। ହେଲେ ଖବର ପ୍ରସାରଣ ସୁଦ୍ଧା ସେଥିରୁ ୬୦ ଜଣ ଟିକା ନେଇଛନ୍ତି। ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ।