ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର କୋଇଲା ଓ ଖଣିଜ ସମ୍ପଦ ମନ୍ତ୍ରୀ ପ୍ରହଲ୍ଲାଦ ଭେଙ୍କେଟେସ ଯୋଶୀ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରୀପାଠୀ ଶ୍ରୀ ଯୋଶୀଙ୍କ ସହ ଝାରସୁଗୁଡା ଜିଲ୍ଲା କୋଇଲା ଖଣି ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଆଲୋଚନା କରିଛନ୍ତି। ଶ୍ରୀ ତ୍ରୀପାଠି କହିଛନ୍ତି ଝାରସୁଗୁଡା କୋଇଲା ସମ୍ପଦରେ ପରିପୁର୍ଣ୍ଣ ଜିଲ୍ଲା ଅଟେ। ଏଠାରୁ କୋଇଲା ଉତ୍ପାଦନ ଓ ରପ୍ତାନୀ ଫଳରେ ଦେଶ ତଥା ବିଦେଶର ବିଭିନ୍ନ କଳକାରଖାନାଗୁଡିକ କାର୍ଯ୍ୟକ୍ଷମ ହୋଇପାରୁଛି। ଝାରସୁଗୁଡାର କୋଇଲା ଖଣିଗୁଡିକର ଦେଶର ଆର୍ଥିକ ବିକାଶରେ ଅନେକ ଅବଦାନ ରହିଛି। ହେଲେ ଏହି ଅଞ୍ଚଳରେ ଅନେକ ସମସ୍ୟା ରହିଛି।
ଖଣିରେ ଜମିବାଡି ହରାଇଥିବା ଲୋକେ ଅବହେଳିତ ହୋଇ ରହିଯାଉଛନ୍ତି। ତେଣୁ ଏହି ଖଣି ଅଞ୍ଚଳବାସୀ ତଥା ଖଣିରେ ଜମିବାଡି ହରାଇ କ୍ଷତିଗ୍ରସ୍ତ ହୋଇଥିବା ପ୍ରଜାଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାପାଇଁ ଟଙ୍କଧର ଶ୍ରୀ ଯୋଶୀଙ୍କୁ ଅନୁରୋଧ କରିଛନ୍ତି। ଖଣିଖନନ ପାଇଁ ଏମସିଏଲ ପକ୍ଷରୁ ବିସ୍ଥାପିତ କରାଯାଉଥିବା ଲୋକଙ୍କୁ ଥଇଥାନ, ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ, ଖଣି ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ପ୍ରଦାନ ଦିଗରେ ଖଣି କର୍ତ୍ତୃପକ୍ଷ କିଭଳି ଧ୍ୟାନଦେବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଟଙ୍କଧରଙ୍କ ଅନୁରୋଧ ଓ ପୁଙ୍ଖାନୁପୁଙ୍ଖ ଆଲୋଚନାପରେ ଖଣି ଅଞ୍ଚଳରେ ବିକାଶ ତଥା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି।