କଂଗ୍ରେସର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂଙ୍କ ଦେହାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସର୍ଦ୍ଦାର ବୁଟା ସିଂଙ୍କ ଆଜି ସକାଳେ ପରଲୋକ ଘଟିଛି। ୮୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ଅରବିନ୍ଦର ସିଂ ଲଭଲି ସିନ୍ଧୁ ସୂଚନା ଦେଇଛନ୍ତି। ବୁଟା ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଗତ ବର୍ଷ ଅକ୍ଟୋବର ମାସରେ ବ୍ରେନ ହାମରେଜ ହୋଇ ସେ କୋମାରେ ଥିଲେ। ଏନେଇ ସେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କ ପରଲୋକ ଘଟିଛି। ପଞ୍ଜାବର ଜଲନ୍ଦର ଜିଲ୍ଲାର ମୁସ୍ତାଫାପୁର ଗ୍ରାମରେ ୨୧ ମାର୍ଚ୍ଚ ୧୯୩୪ ରେ ସେ ଜନ୍ମ ହୋଇଥିଲେ। ସେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ନେହେରୁ-ଗାନ୍ଧୀ ପରିବାରର ଜଣେ ବିଶ୍ୱାସୀପାତ୍ର ଭାବେ ସର୍ଦ୍ଦାର ବୁଟା ସିଂ ବିହାରର ରାଜ୍ୟପାଳ ତଥା ଜାତୀୟ ଅନୁସୂଚିତ ଜାତି ଆୟୋଗର ଚେୟାରମ୍ୟାନ୍ ଥିଲେ।