ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କମୁଛି କରୋନା ପ୍ରଭାବ। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଆଉ ୨୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୪୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୩ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।
୨୨ ଟି ଜିଲ୍ଲା ଓ ଷ୍ଟେଟପୁଲ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୧ ଜଣ ରହିଛନ୍ତି। ଏହା ପଛକୁ ବାଲେଶ୍ୱର ଜିଲ୍ଲା ରହିଛି। ସେହିପରି ୪ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ରହିଥିବା ବେଳେ ବଲାଙ୍ଗିର ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଛି। ସେଥିରୁ ୩,୨୫,୭୩୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୮୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି।