ସମ୍ବଲପୁରରେ ‘ଆଇଆଇଏମ୍‌’ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,ଏନ୍ଏନ୍ଏସ୍: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଂ‌ ମାଧ୍ୟମରେ ଓଡ଼ିଶାର ସମ୍ବଲପୁରରେ ଥିବା ‘ଆଇଆଇଏମ୍‌’ର ସ୍ଥାୟୀ କ୍ୟାମ୍ପସ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡରେ ଯୋଗ ଦେଇ ସମ୍ବଲପୁରରେ ‘ଆଇଆଇଏମ୍‌’ ପ୍ରତିଷ୍ଠା କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ଭାରତରେ ଓଡ଼ିଶା ଶିକ୍ଷାର ହବ୍ ହେବାକୁ ଯାଉଛି। ଓଡ଼ିଶାକୁ ଶିକ୍ଷାର ହବ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଣୁ ରାଜ୍ୟରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ସହିତ ଏହି ଆଇଆଇଏମ୍ ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ବ୍ରିଜ ତିଆରି କରିବ ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି କି ଟେକ୍ନୋଲୋଜି ଆଜି ସବୁ ଭୌଗୋଳିକ ସମସ୍ୟାକୁ ଦୂର କରିପାରିଛି। ବିକାଶ ପାଇଁ ସଟ ଟର୍ମ ବଦଳରେ ଲଙ୍ଗ ଟର୍ମ ପଲିସି ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ସେ ସମ୍ବଲପୁର ବାସୀଙ୍କୁ ଲୋକାଲ ଫର ଭୋକାଲ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ସମ୍ବଲପୁରୀ ଟେକ୍ସଟାଇଲର ସାରା ବିଶ୍ୱରେ ଚାହିଦା ରହିଛି। ଏଥିସହିତ ସମ୍ବଲପୁର ପର୍ଯ୍ୟଟନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଭର୍ଚୁଆଲ‌ ଭାବେ ଅନୁଷ୍ଠିତ ଏହି ଉତ୍ସବରେ ସରକାରୀ କର୍ମଚାରୀ, ଶିଳ୍ପପତି, ଶିକ୍ଷାବିତ୍‌ ଏବଂ ଶିକ୍ଷାର୍ଥୀ ‘ଆଇଆଇଏମ୍‌-ସମ୍ବଲପୁର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଆମନ୍ତ୍ରିତ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ସ୍ଥାନୀୟ ସାଂସଦ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସମ୍ବଲପୁର ଉପକଣ୍ଠ ବସନ୍ତପୁରରେ ୪୦୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି କ୍ୟାମ୍ପସ୍। ଏଥିପାଇଁ ରାଜ୍ୟ ସରକାର ୨ଶହ ଏକର ଜମି ଯୋଗାଇ ଦେଇଛନ୍ତି। ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି।