‘ଲାଇଟ ହାଉସ୍’ ପ୍ରକଳ୍ପର ମୂଳଦୁଆ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୬ଟି ରାଜ୍ୟର ୬ଟି ସହରରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ-ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଅଧୀନରେ ଥିବା ଲାଇଟ୍ ହାଉସ୍ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) କାର୍ଯ୍ୟକାରୀ କରିବାରେ ଉତ୍କର୍ଷତା ପାଇଁ ବାର୍ଷିକ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ, ତ୍ରିପୁରା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ୨୦୧୭ରେ ଜିଏଚଟିସି-ଇଣ୍ଡିଆ ଅଧୀନରେ ‘ଲାଇଟ ହାଉସ୍’ ପ୍ରକଳ୍ପ ନିର୍ମାଣ ପାଇଁ ୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ନାମ ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ୬ଟି ପ୍ରକଳ୍ପ ଦେଶରେ ଗୃହ ନିର୍ମାଣ ପାଇଁ ନୂତନ ଦିଗ ଦେଖାଇବ। ଘର ନିର୍ମାଣ ପାଇଁ ଦେଶ ନୂତନ ଜ୍ଞାନକୌଶଳ ପାଉଛି। ଏହି ପ୍ରକଳ୍ପ ବାସ୍ତବରେ ଲାଇଟହାଉସ୍ ପରି। ଏଥିରେ ଫ୍ୟାକ୍ଟ୍ରିରୁ ଘର ତିଆରି କରିବା ପାଇଁ ବିମ-କଲମ ପ୍ରସ୍ତୁତ କରାଯାଇ ଅଣାଯାଇଥାଏ। ଏହାର ଦ୍ୱାରା ନିର୍ମାଣର ସମୟ ଓ ଖର୍ଚ୍ଚ କମ୍ ହୋଇଯାଇଥାଏ। ଏହି ପ୍ରୋଜେକ୍ଟରେ ତିଆରି ହୋଇଥିବା ଘର ସମ୍ପୂର୍ଣ୍ଣ ଭୂକମ୍ପ ନିରୋଧି ହୋଇଥାଏ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ‘ଏହି ଲାଇଟ ହାଉସ୍ ପ୍ରକଳ୍ପ ବର୍ତ୍ତମାନ ଦେଶରେ କିପରି କାମ କରିବ ତାହା ଏକ ସଂପୂର୍ଣ୍ଣ ଭିନ୍ନ ଉଦାହରଣ ସୃଷ୍ଟି କରିବ। ଆମକୁ ଏହା ପଛରେ ଥିବା ବଡ ଦର୍ଶନକୁ ମଧ୍ୟ ବୁଝିବାକୁ ହେବ। ଗୃହ ଯୋଜନା କେନ୍ଦ୍ର ସରକାରଙ୍କ ପ୍ରାଥମିକତା ନଥିଲା। କାରଣ ଗୃହ ନିର୍ମାଣର ପ୍ରତିବନ୍ଧକ ଏବଂ ଗୁଣବତ୍ତାକୁ ସରକାର ଯାଇ ନାହାନ୍ତି।

ସୂଚନାଯୋଗ୍ୟ, ଲାଇଟ ହାଉସ୍ ପ୍ରକଳ୍ପ ହେଉଛି କେନ୍ଦ୍ର ସହରୀ ମନ୍ତ୍ରଣାଳୟର ଏକ ଉଚ୍ଚାଭିଳାଷୀ ଯୋଜନା। ଏହା ଅଧୀନରେ ଲୋକଙ୍କୁ ଆବାସ ଯୋଗାଇ ଦିଆଯିବ। ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ।