ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୨୪୫ ନୂଆ କରୋନା ପଜିଟିଭ, ୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତବର୍ଷ କରୋନା ମହାମାରୀ ରାଜ୍ୟକୁ ପ୍ରବେଶ କରିଥିଲା। ନୂଆବର୍ଷର ପ୍ରଥମ ଦିନରେ ପୁଣି ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଗତ ୨୪ ଘଣ୍ଟାରେ ୨୪ ଟି ଜିଲ୍ଲାରୁ ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୩୯ ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିବା ବେଳେ ଅନ୍ୟ ୧୦୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୮୬୬କୁ ବୃଦ୍ଧି କରିଛି। ଏଥିସହିତ ରାଜ୍ୟରେ ଆଉ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ଆଜିର ରିପୋର୍ଟ ଅନୁସାରେ ଆଜି ସମ୍ବଲପୁରରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୪ ଜଣ ଓ ଅନୁଗୁଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସେହିପରି ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ପୁରୀ ଓ କୋରାପୁଟରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କରୋନାରେ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି।

ତେବେ ମୋଟ କରୋନା ସଂକ୍ରମିତ ମଧ୍ୟରୁ ୨,୫୦୫ଟି ଆକ୍ଟିଭ୍‌ ମାମଲା ରହିଥିବାବେଳେ ୩,୨୫,୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ୧୮୭୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।