ଦେବଗଡ଼ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଦେବଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ସମଗ୍ର ଦେବଗଡ଼ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଆଜି ପ୍ରଧାନପାଟ ସ୍ଥିତ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦେବଗଡ଼ ଜିଲ୍ଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ଣରେ ମଞ୍ଚର ସଭାପତି ସୁଧୀର କୁମାର ବ୍ରହ୍ମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଓଡିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଦେବଗଡ଼ ଜିଲ୍ଲା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦେବଗଡ଼ର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜା ପ୍ରଦୀପ୍ତ ଗଙ୍ଗଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସେ ବିଧାନସଭାରେ ପ୍ରସ୍ତାବ ଦେଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମହାପାତ୍ର, ମିତ୍ରଭାନୁ ମହାପାତ୍ର, ନବୀନ କୁମାର ପାଣି ପ୍ରମୁଖ ଦେବଗଡ଼ ଜିଲ୍ଲାର ବିକାଶରେ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ଜିଲ୍ଲା ଗଠନରେ ଅକ୍ଲାନ୍ତ ପରିଶ୍ରମ କରିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ନୂତନ ଯୁବ ପୀଢିଙ୍କୁ ଅବଗତ କରାଇବାକୁ ମତପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାରେ କରୋନା କାଳରେ ଅକ୍ଲାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସଚେତନତା କରିଥିବା ଓୟୁଜେ ରାଜ୍ୟ ସମ୍ପାଦକ ଅଶୋକ କୁମାର ନନ୍ଦ, ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ସିଦ୍ଧାର୍ଥ ଗୁରୁ, ପ୍ରଣବ କିଶୋର ଗୁରୁ, ସୁଜାତା ସାହୁ, ଶକ୍ତି ସୌରଭ ନନ୍ଦ, ସଶାଙ୍କ ଶେଖର ଝାଙ୍କର, ମାନସ କୁମାର ଦ୍ୱିବେଦୀ, ଅନୁଜ କୁମାର ପ୍ରଧାନ, ସଞ୍ଜିବ କୁମାର ପାଣିଗ୍ରାହୀ ଓ ଦୀପକ କୁମାର ନନ୍ଦ ପ୍ରମୁଖଙ୍କୁ ମଞ୍ଚ ପକ୍ଷରୁ ଉପଢୌକନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ସକାଳେ କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ବଜାରଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ରାଜବାଟୀ ପରିସରରେ ଥିବା ରାଜା ସାର ବାସୁଦେବ ସୁଢଳ ଦେବ, ପ୍ରଧାନପାଟ ଶିଶୁ ଉଦ୍ୟାନ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ କଚେରି ପରିସରରେ ଥିବା ରାଜା ସଚ୍ଚିଦାନନ୍ଦ ସୁଢ଼ଳ ଦେବ ଓ ରାଣୀ ଡମ୍ବରୁଧର ପ୍ରିୟାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।