ଭୋପାଳ,ଏଜେନ୍ସି: ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ମଧ୍ୟ ଲଭ୍ ଜିହାଦ ବିରୋଧରେ ଆଇନ ପ୍ରଣୟନ କରିଛନ୍ତି। ଧର୍ମ ସ୍ୱାଧୀନତା ଅଧ୍ୟାଦେଶକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ବର୍ତ୍ତମାନ ଏହାକୁ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସେଠାରୁ ଅନୁମୋଦନ ପାଇବା ପରେ ଏହା ଆଇନର ରୂପ ନେବ।
ପ୍ରଥମେ ମଧ୍ୟପ୍ରଦେଶ ସରକାର ବିଧାନସଭା ଅଧିବେଶନରେ ଫ୍ରିଡମ୍ ଅଫ୍ ରିଲିଜିଅନ୍ ବିଲ୍ ପାସ୍ କରିବାକୁ ଯୋଜନା ରଖିଥିଲେ କିନ୍ତୁ କରୋନା କାରଣରୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା। ସରକାର ବର୍ତ୍ତମାନ ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିନାନ୍ସ ଆଣିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ୬ ମାସ ମଧ୍ୟରେ ଏହି ନିୟମ ବିଧାନସଭା ଦ୍ୱାରା ପାରିତ ହେବାକୁ ପଡ଼ିବ। ଫ୍ରିଡମ୍ ଅଫ୍ ରିଲିଜିଅନ୍ ଅର୍ଡିନାନ୍ସରେ ୧୯ଟି ବ୍ୟବସ୍ଥା ରହିଛି।
ଏହି ନିୟମ ଅନୁଯାୟୀ ମଧ୍ୟପ୍ରଦେଶରେ ଧର୍ମ ପରିବର୍ତ୍ତନ ଆଳରେ ଧମକ, ନିର୍ଯାତନା, ବିବାହ କିମ୍ବା ଅନ୍ୟ କୌଣସି ଠକାମି କରିବାକୁ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୨୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରାଯିବ। ମଧ୍ୟପ୍ରଦେଶରେ ଯଦି ନାବାଳିକା କିମ୍ବା ଅନୁସୂଚିତ ଜାତି ଜନଜାତିର ଜଣେ ମହିଳାଙ୍କ ସହ ଏପରି ଅପରାଧ ହୁଏ ତେବେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି। ସେହିପରି ଯେଉଁମାନେ ସାମୂହିକ ଭାବରେ ଧର୍ମ ପରିବର୍ତ୍ତନ କରନ୍ତି ସେମାନଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନାର ବ୍ୟବସ୍ଥା ହୋଇଛି।