କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାର କାଶ୍ମୀର କୁହାଯାଉଥିବା ପଟ୍ଟାଙ୍ଗୀ ବ୍ଲକରେ ପ୍ରବଳ ଶୀତ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ରାଲେଗାଡା ପଞ୍ଚାୟତ ଇଟାବାଲସା ଗ୍ରାମର ବୁଡିଆ ଧନ(୪୫)। ସୂଚନା ଅନୁଯାୟୀ, ମୃତ ଧନ ଓ ସ୍ତ୍ରୀ ବୁଡିଆ ଲଛନା ଏବଂ ଗ୍ରାମର ବୁଡିଆ ଶ୍ୟାମ ତିନିଜଣ ମିଶି ଶନିବାର ଅପରାହ୍ଣରେ ଗାଁ ନିକଟ ଏକ ଝରଣା ପାଖକୁ ଯାଇ ସେଠାରେ ମହୁଲି ପିଇଥିଲେ। ଧନ ଓ ଶ୍ୟାମ ପ୍ରବଳ ନିଶାଶକ୍ତ ହୋଇ ସେଠାରୁ ଆସି ନପାରିବାରୁ ସେମାନଙ୍କୁ ଛାଡି ଦେଇ ଧନର ସ୍ତ୍ରୀ ଲଛନା ଫେରି ଆସିଥିଲା। ରବିବାର ସକାଳେ ଝରଣା ନିକଟରେ ଧନର ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପୁଲିସକୁ ଖବର ଦେବାପରେ ପଟ୍ଟାଙ୍ଗୀ ଥାନା ଅଧିକାରୀ ବିଜୟ ରାଜ୍ ମାଝୀ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପଟ୍ଟାଙ୍ଗୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।