ଜୟପୁର କୃଷକ ସମାବେଶରେ ବର୍ଷିଲେ ଦୁଇ ସାଂସଦ

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ଜୟପୁରରେ ଏକ କୃଷକ ସମାବେଶ ଆୟୋଜିତ ହୋଇଛି। ଆୟୋଜିତ ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ବିରୋଧୀଦଳ ନେତା ପ୍ରଦୀପ ନାୟକ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଉପ-ସଭାପତି ବଳଭଦ୍ର ମାଝୀ, ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାବେଶରେ ଭାଜପା ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ବିଷୟରେ ବିସ୍ତୃତ ବିବରଣୀ ରଖିବା ସହ ନୂଆ କୃଷି ବିଲରେ କୃଷକମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଜାତୀୟ କଂଗ୍ରେସ ମଧ୍ୟ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ କୃଷି ବିଲ୍ ସମ୍ପର୍କରେ ଭୁଲ୍ ତଥ୍ୟଦେଇ କୃଷକ ସମାଜକୁ ବିପଥଗାମୀ କରୁଥିବା ଜୁଏଲ୍ ଓରାମ୍ ଓ ବସନ୍ତ ପଣ୍ଡା କହିଥିଲେ।

ବିଜେଡି ଓ କଂଗ୍ରେସର ଭୁଲ୍ ପ୍ରଚାରରେ ବିଶ୍ୱାସ ନକରି ନରେନ୍ଦ୍ର ମୋଦୀଙ୍କ ନୂତନକୃଷି ବିଲକୁ ସମର୍ଥନ କରିବାକୁ ବିଜେପିର ନେତୃ ମଣ୍ଡଳୀ କୃଷକ ମାନଙ୍କୁ ନିବେଦନ କରିଥିଲେ। ସମାବେଶରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ନୂଆପଡ଼ା ଜିଲ୍ଲାର କୃଷକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ଗୌତମ ସାମନ୍ତରାୟ, ରାମଚନ୍ଦ୍ର ପାଙ୍ଗି, ତ୍ରିପୁରାରୀ ଗରଡ଼ା, ଖଗେଶ୍ୱର ପୁଜାରୀ, କୁମୁଦ ସାଉନ୍ତା, ଶିଶିର ଗମାଙ୍ଗ, ଶିବ ଶଙ୍କର ଉଲାକା, ପଦୁ ମାଝୀ, ଗୌରୀ ଶଙ୍କର ମାଝୀ, ପର୍ଶୂରାମ ମାଝୀ, ପଦ୍ମନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।