କୋଲକାତା,ଏଜେନ୍ସି: ଗୁରୁବାର ପ୍ରଧାନମନ୍ତ୍ରୀ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ଶତାବ୍ଦୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ବିଶ୍ଵଭାରତୀୟ ବିଶ୍ଵବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ଅତ୍ୟନ୍ତ ସ୍ୱତନ୍ତ୍ର। ଏହାର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ଟାଗୋର ଭାରତ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଏହି ଅନୁଷ୍ଠାନ ସାରା ଦେଶକୁ ଶକ୍ତି ଯୋଗାଉଛି। ଗୁରୁଦେବ ବିଶ୍ଵଭାରତୀକୁ ଏପରି ଭାବେ ଗଢ଼ିଥିଲେ ଯେ ତାହା ରାଷ୍ଟ୍ରବାଦର ଛବିକୁ ସାମ୍ନାରେ ରଖିଛି। ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଏଥିସହିତ ସେ କହିଛନ୍ତି କି, ଏହି ଶତାବ୍ଦୀ ସମାରୋହରେ ଯୋଗ ଦେବା ମୋ ପାଇଁ ଅତି ଗର୍ବର ବିଷୟ। ଏହି ବିଶ୍ୱବିଦ୍ୟାଳୟରେ କେବଳ ବ୍ରିଟିଶମାନଙ୍କର ଦାସତ୍ୱ ନୁହେଁ, ଅନେକ ବର୍ଷ ଧରି ଚାଲିଆସୁଥିବା ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମି ମଧ୍ୟ ରହିଥିଲା। ଏଠାରେ ସାଧୁସନ୍ଥ, ଆଚାର୍ଯ୍ୟମାନେ ଦେଶ ପାଇଁ ଚିନ୍ତା କରିଥିଲେ। ଦକ୍ଷିଣରେ ରାମାନୁଜାଚାର୍ଯ୍ୟଙ୍କ ସମେତ ଅନେକ ସନ୍ଥ ଥିଲେ, ପଶ୍ଚିମରେ ମୀରାବାଇଙ୍କ ସମେତ ଅନ୍ୟ ସନ୍ଥମାନେ ରହିଥିଲେ, ଉତ୍ତରରେ କବୀର ଦାସ, ସୁରଦାସଙ୍କ ସମେତ ଅନ୍ୟ ଲୋକମାନେ ଥିଲାବେଳେ ପୂର୍ବରେ ଚୈତନ୍ୟ ମହାପ୍ରଭୁ ଥିଲେ।
ମୋଦୀ କହିଥିଲେ, ରାମକୃଷ୍ଣ ପରମହଂସଙ୍କ ଯୋଗୁଁ ଦେଶକୁ ସ୍ୱାମୀ ବିବେକାନନ୍ଦ ମିଳିଥିଲେ। ସ୍ୱାମିଜୀ ଭକ୍ତିଜ୍ଞାନ ଏବଂ କର୍ମକୁ ନିଜ ଭିତରେ ଧାରଣ କରିଥିଲେ। ଭକ୍ତି ଆନ୍ଦୋଳନ ପରେ କର୍ମ ଆନ୍ଦୋଳନ ଆଗକୁ ବଢ଼ିଥିଲା, ଯେଉଁଥିରେ ଅନେକ ଯୋଦ୍ଧା ବିଦେଶ ଆକ୍ରମଣକାରୀଙ୍କୁ ରୋକିଥିଲେ। ପରିଶେଷରେ ଜ୍ଞାନ ସଙ୍ଗମ ହେବା ଫଳରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଥିଲା। ପରେ ବୈଚାରିକ ଆନ୍ଦୋଳନ ବି ସୃଷ୍ଟି ହେଲା ଏବଂ ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରାଗଲା। ଏସବୁ ଆନ୍ଦୋଳନରେ ପ୍ରଭାବିତ ହୋଇ ହଜାର ହଜାର ଲୋକ ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନର ବଳିଦାନ ଦେଇଥିଲେ।