ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,ଏନ୍ଏନ୍ଏସ୍: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଏସଆଇଟି ହତ୍ୟା ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଥିଲେ ସୁଦ୍ଧା ଉକ୍ତ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଏହି ମାମଲାକୁ ଦୀର୍ଘଦିନ ବିତିଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଓ ଏସଆଇଟି ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବା ନେଇ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଏହି ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୧୨ରେ ହେବ ବୋଲି ଜଣାଯାଇଛି।

ସେପଟେ ପରୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ସେଠୀର ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଯିବ।

ନାବାଳିକାକୁ ହତ୍ୟା ବେଳେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସହ ତା ନାକରୁ ରକ୍ତ ବାହାରି ଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି। ତେବେ ସେହି ଗାମୁଛା ମଧ୍ୟ ସରୋଜର ଘରୁ ଏସଆଇଟି ଜବତ କରିଛି। ଏବଂ ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା ଏସଆଇଟି ସୂତ୍ରରୁ ସୂଚନା ମିଳିଛି। ସେପଟେ ପରୀ ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ବୋଲି ଏସଆଇଟି ମୁଖ୍ୟ କହିବା ପରେ ବି ଚର୍ଚ୍ଚା ଥମିବାରେ ନା ନେଉନାହିଁ।