ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡ଼ାରେ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦାବି ଜୋର ଧରିଛି। ଏନେଇ ଯୁବ ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାରଙ୍କ ତରଫରୁ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ନେଇ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଯୁବ ବିକାଶ ପରିଷଦ ତରଫରୁ ଗଣଧାରଣା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଯୁବ ବିକାଶ ପରିଷଦର ସଭାପତି କହିଛନ୍ତି ଯେ, ଜିଲ୍ଲା ମାନ୍ୟତା ପାଇବାର ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାବାସୀ ଶତପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ ରୋଗୀମାନେ ଅର୍ଥ ଅଭାବରୁ ବାହାରକୁ ଚିକିତ୍ସା ପାଇଁ ଯାଇ ନପାରି ମୃତ୍ୟୁମୁଖରେ ପଡୁଛନ୍ତି।
ତେଣୁ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ସହ ରାୟଗଡାରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଆବଶ୍ୟକତା ରହିଛି। ଯଦି ଆଗାମୀ ଜାନୁୟାରୀ ୧୧, ୨୦୨୧ ସୁଦ୍ଧା ସରକାରଙ୍କ ତରଫରୁ ଉପରୋକ୍ତ ଦାବି ଗୁଡିକ ପୂରଣ କରାନଯାଏ ତାହା ହେଲେ ଯୁବ ବିକାଶ ପରିଷଦ ତରଫରୁ ୧୨ ତାରିଖରୁ ୭୨ ଘଣ୍ଟା ଧରି ଅନାହାର ଧାରଣ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ସଭାପତି ଶ୍ରୀ ଦାସ। ଏଥିରେ ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ସାହୁକାର, ରବୀନ୍ଦ୍ର ପାଣିଗ୍ରାହୀ, ଅମରେନ୍ଦ୍ର ନାଥ, ଅମୂଲ୍ୟରତ୍ନ ସାହୁ, ନିରଞ୍ଜନ ପାଳ, ରବୀନ୍ଦ୍ର ପାଟ୍ଟଖଣ୍ଡାଳ, ଦିଲ୍ଲୀପ କୁମାର ମିଶ୍ର, ଦୟାନନ୍ଦ ଖାଡେଙ୍ଗା, ମନୋଜ ସାହୁ, ବିଶ୍ୱନାଥ ଭୂୟାଁ, ଦିପକ ପୃଷ୍ଟି, ଗୁରୁପ୍ରସାଦ ସାହୁ, ସୁବାସ ସୂର୍ଯ୍ୟା, ସିଏଚ ଗଣେଶ୍ୱର ରାଓ, ଯୁବ ବିକାଶ ପରିଷଦର ସମ୍ପାଦକ କୃଷ୍ଣ ପ୍ରସାଦ ମିଶ୍ର, ପୁତୁଲ ପାଢୀ, ଗୋପିନାଥ ଗୌଡ଼,ଗଣେଶ ସାହୁ, ନୀଳାଚଳ ଜେନା,ଦିବାକର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।