ପ୍ରବଳ ଶୀତରେ ଥରୁଛି ଝାରସୁଗୁଡ଼ା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ୫ ଦିନ ହେଲାଣି ପ୍ରବଳ ଶୀତ ଅନୁଭତ ହେଉଛି। ଗତ ୫ ଦିନ ମଧ୍ୟରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆଜି ତାପମାତ୍ରା ୭.୮ ଡିଗ୍ରୀ ରହିଥିବାବେଳେ ଗତ ମଙ୍ଗଳବାର ୭.୪, ସୋମବାର ୫.୮, ରବିବାର ୮.୨ ଓ ଶନିବାର ୮.୬ ରହିଥିଲା। ପାଣିପାଗ ବିଭାଗର ସୂଚନାନୁଯାୟୀ, ତାପମାତ୍ରା ଆଗକୁ ଆହୁରି ତଳକୁ ଖସିବାର ଆଶଙ୍କା ରହିଛି। ତେବେ ଝାରସୁଗୁଡ଼ାରେ ଏବେ ଅପରାହ୍ଣ ୪ଟାରୁ ସକାଳ ୧୦ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ହଠାତ ଏଭଳି ଶୀତ ବୃଦ୍ଧି ହେବା ଲୋକଙ୍କୁ ଅଥୟ କରିଦେଇଛି। ପ୍ରବଳ ଜାଡ଼ ଯୋଗୁ ସନ୍ଧ୍ୟା ସମୟରେ ରାସ୍ତାଘାଟ ଏବଂ ଦୋକାନ ବଜାର ଶୁନଶାନ ରହୁଛି। ସହରଠାରୁ ଗାଁ ଗହଳିଯାଏ ସବୁଠି ଶୀତରୁ ରକ୍ଷା ପାଇଁ ଲୋକେ ନିଆଁ ପୁଇଁବାର ଦେଖିବାକୁ ମିଳିଛି। ଏହାସହ ଜିଲ୍ଲାରେ ଶୀତବସ୍ତ୍ରର ଚାହିଦା ବେଶ ବୃଦ୍ଧି ପାଇଛି। ରାସ୍ତାକଡ଼ରେ ବିକ୍ରି ହେଉଥିବା କମ୍ବଳ, ସ୍ୱେଟର୍ ଆଦି ଶୀତବସ୍ତ୍ର କିଣିବାକୁ ଲୋକେ ଭିଡ଼ ଜମାଉଛନ୍ତି।