ଜିଲ୍ଲାରେ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ଦାବି

ରାୟଗଡ଼ା, ଏନ୍ଏନ୍ଏସ୍: ଜିଲ୍ଲା ମାନ୍ୟତା ପାଇବାର ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଜିଲ୍ଲାବାସୀ ଶତପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଅଛନ୍ତି। ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାରେ ବସବାସ କରୁଥିବା ଜିଲ୍ଲାବାସୀ ସେପରି ଆର୍ଥିକ ସ୍ୱଚ୍ଛଳ ହୋଇନଥାନ୍ତି। ଜିଲ୍ଲାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ନଥିବାରୁ ରୋଗୀମାନେ ଅର୍ଥ ଅଭାବରୁ ବାହରକୁ ଚିକିତ୍ସା ପାଇଁ ଯାଇନପାରି ମୃତ୍ୟୁବରଣ କରୁଛନ୍ତି। ତେଣୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଯୁବ ବିକାଶ ପରିଷଦ ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ, ସମ୍ପାଦକ କୃଷ୍ଣ ପ୍ରସାଦ ମିଶ୍ର, ପୁତୁଲ ପାଢୀ, ଗୋପୀଗୌଡ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।