ବରଗଡ଼, ଏନ୍ଏନ୍ଏସ୍: କୋଭିଡ କଟକଣା ଯୋଗୁଁ ଦୀର୍ଘଦିନ ଧରି କଳା ନୈପୁଣତା ପ୍ରଦର୍ଶନ ସୁଯୋଗରୁ ବଞ୍ଚିତ ରହିବା ସହ ଜୀବନ ଜୀବିକା ହରାଇଥିବା କଳାକାରମାନେ ଧନୁଯାତ୍ରାରେ ଅଭିନୟର ସୁଯୋଗ ସହ କିଛି ଆର୍ଥିକ ସହାୟତା ପାଇବା ଆଶାରେ ରହିଥିଲେ। ଧନୁଯାତ୍ରା ବାତିଲ କରାଯିବାକୁ ନିଷ୍ପତି ନିଆଯିବାପରେ ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କ ସେହି ଆଶା ମଉଳିଯାଇଛି ।
ଅପରପକ୍ଷେ ପଶ୍ଚିମ ଓଡିଶା କଳାକାର ମହାସଂଘ ଧନୁଯାତ୍ରା ମହୋତ୍ସବରେ ଅଭିନୟ କରୁଥିବା କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିବା ସହ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ବାତିଲକୁ ନେଇ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିଛି। ଏହାସହ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି କଳାକାରଙ୍କୁ ସହାୟତା ଯୋଗାଇଦେବାକୁ ନିବେଦନ କରିଛି ସଂଘ। ଦାବିପତ୍ର ପ୍ରଦାନ ସମୟରେ ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ, କଳାକାର ଭୁବନେଶ୍ୱର ପ୍ରଧାନ ସମେତ ବହୁ ସଦସ୍ୟ ସାମିଲ ଥିଲେ।