ଟିପ୍ପର ଧକ୍କାରେ ଠିକାଦାରଙ୍କ ମୃତ୍ୟୁ : ପରିବାରର ୨ଜଣଙ୍କୁ ଠିକା ନିଯୁକ୍ତି ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

କୋରାପୁଟ,ଦାମନଯୋଡ଼ି,ଏନ୍ଏନ୍ଏସ୍: ଦାମନଯୋଡ଼ି ନାଲକୋ ପ୍ଲାଣ୍ଟ ମେନଗେଟ୍ ନିକଟରେ ଟିପ୍ପର ଧକ୍କାରେ ଠିକାଦାର ରାଜେଶ୍ୱର ଚେଟ୍ଟୀଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ରାଜେଶ୍ୱର ଚେଟ୍ଟୀଙ୍କ ପରିବାରର ୨ଜଣଙ୍କୁ ମେଣ୍ଟେନାନ୍ସ ବିଭାଗରେ ଠିକା ନିଯୁକ୍ତି ଦେବାକୁ ନାଲକୋ କର୍ତୃପକ୍ଷ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଏବଂ ନାଲକୋ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସଂନ୍ଧ୍ୟାରେ ରାଜେଶ୍ୱର ପ୍ଲାଣ୍ଟରୁ ବାହାରି ନିଜ ମୋଟର ସାଇକଲରେ ମାଥାଲପୁଟ ବଜାରକୁ ଯାଉଥିବାବେଳେ ନାଲକୋ ମେନଗେଟ୍ ନିକଟରେ ପଛରୁ ଆସୁଥିବା ଓଡି-୧୦ଏ ୬୭୭୭ ନମ୍ବର ଟିପ୍ପର ଧକ୍କା ଦେଇଥିଲା। ପରେ ରାଜେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ନାଲକୋ ହସ୍ପିଟାଲକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ୍ୱରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ୍ ବାହାରେ ପାଟିତୁଣ୍ଡ କରିବା ସହ ରାଜେଶ୍ୱରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ନାଲକୋରେ ସ୍ଥାୟୀ ଚାକିରୀ ଦାବି କରିଥିଲେ। ଶୁକ୍ରବାର ପୂର୍ବାହ୍ନରେ କୋରାପୁଟ ବିଧାୟକ ରଘୁରାମ ପଡାଲ୍, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା, ଦାମନଯୋଡ଼ି ଥାନାଧିକାରୀ ସମ୍ବିତ ବେହେରା, ସୁନାବେଡ଼ା ଥାନାଧିକାରୀ ଭୀମସେନ ନାୟକ, ସେମିଲିଗୁଡ଼ା ଥାନାଧିକାରୀ ଧୀରେନ୍ ବେହେରା ଓ ନାଲକୋ କର୍ତୃପକ୍ଷ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଉପରୋକ୍ତ ସହାୟତା ଘୋଷଣା କରିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ହଟିଥିଲେ।