ଚିନାବାଦାମ କ୍ଷେତରେ ମହିଳାଙ୍କ ଶବ : ହତ୍ୟା ସନ୍ଦେହ

ବଲାଙ୍ଗିର, ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଧୁବଲପଡ଼ା ଗ୍ରାମ ନିକଟରେ ଏକ ଚିନାବାଦାମ କ୍ଷେତରେ ଜଣେ ମହିଳାଙ୍କ ଶବ ପଡିଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ଣରେ ଚିନାବାଦାମ କ୍ଷେତ ନିକଟରେ ଅଜଣା ଶବ ପଡିଥିବା ଦେଖି ଧୁବଲପଡା ଗ୍ରାମବାସୀ ଗ୍ରାମରକ୍ଷୀକୁ ଖବର ଦେଇଥିଲେ। ପରେ ପାଟଣାଗଡ଼ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ମହିଳାଙ୍କ ଶବ ଉପରେ ଚିନାବାଦାମ ଗଛ ଢାଙ୍କି ଦିଆଯାଇଥିବା ଦେଖାଯାଇଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପ୍ରକାଶ ଯେ, ଧୁବଲପଡା ଗ୍ରାମର ବୁଲୁ ସାହୁ ପାଟଣାଗଡ ଥାନାରେ ତାଙ୍କ ସ୍ତ୍ରୀ ନୀଳାବତୀ ସାହୁ ନିଖୋଜ ଥିବା ମାମଲା ରୁଜୁ କରିବାକୁ ଯାଇଥିବା ବେଳେ ତାଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇଥିଲେ ଏବଂ ବୁଲୁ ସାହୁ ତାହା ତାଙ୍କ ସ୍ତ୍ରୀଙ୍କ ଶବ ବୋଲି ଚିହ୍ନଟ କରିଛନ୍ତି ।