କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬୫୦ ସିଟ୍ ବିଶିଷ୍ଟ ଟିଚିଂ ହସ୍ପିଟାଲ୍ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅର୍ଥ ଅନୁମୋଦନ କରିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ୩ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲର ଟିଚିଂ ହସ୍ପିଟାଲ ଏବଂ ଫୁଲବାଣୀରେ ହେବାକୁ ଥିବା ମେଡିକାଲ କଲେଜ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଗତକାଲି କ୍ୟାବିନେଟ୍ ବୈଠକରେ ୬୮୦ କୋଟି ଟଙ୍କାର ଅର୍ଥ ଅନୁମୋଦନ କରିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହାଦ୍ୱାର ଅବିଭିକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ଟିଚିଂ ହସ୍ପିଟାଲ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ୧୦ ଏକର ଜମି ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ହସ୍ପିଟାଲ ନିର୍ମାଣ ଦ୍ୱାରା ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ସହାୟକ ହେବ ବୋଲି ମେଡିକାଲ କଲେଜର ଡିନ୍ ପ୍ରଫେସର୍ କୃଷ୍ଣଚନ୍ଦ୍ର ବିଶ୍ୱାଳ ପ୍ରକାଶ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ସୀତାରାମ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଡେପୁଟି କଲେକ୍ଟର ଅର୍ଜନା ଦାସ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।