କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ପଢାଉଛନ୍ତି ଶିକ୍ଷକ

ବରଗଡ଼, ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟଗୁଡିକ ବନ୍ଦ ରହିଛି । ଏପରି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଝାରବନ୍ଧ ବ୍ଲକ୍ ତୁମୁରିପାଣି ସ୍କୁଲର ଶିକ୍ଷକ ଦିବସ କୁମାର ସାହୁ ଗତ କିଛିମାସ ଧରି ସେମାନଙ୍କ ଘରକୁ ଯାଇ ଶିକ୍ଷାଦାନ ଜାରି ରଖିଛନ୍ତି । କୋଭିଡ ନିୟମାବଳୀ ଅନୁସରଣ କରି ଦିବସ କ୍ରମାଗତ ଭାବରେ ଘରକୁ ଘର ଯାଇ ଛାତ୍ରଛାତ୍ରୀଙ୍କୁ ଗାଇଡ କରୁଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ତଥା ପଞ୍ଚାୟତସ୍ତରୀୟ ପ୍ରତିନିଧି ସହଯୋଗ କରି ଆସୁଥିବାବେଳେ ନାଏକ ସରପଞ୍ଚ ହେମାନନ୍ଦ ଚୌଧୁରୀଙ୍କ ସହାୟତାରେ ଏକ ସ୍ମାର୍ଟ କ୍ଲାସ ରୁମ କରାଯାଇ ପ୍ରୋଜେକ୍ଟର ମାଧ୍ୟମରେ ଅନଲାଇନ ଶିକ୍ଷାଦାନ କରାଯାଉଛି । ଦିବସଙ୍କୁ ତୁମୁରିପାଣି ଗ୍ରାମର ଦୁଇ ଜଣ ଯୁବକ ମନୋଜ ଏବଂ ଚିନ୍ତାମଣି ସହଯୋଗ କରିବା ସହ ପ୍ରତ୍ୟହ ଅପରାହ୍ନରେ ଶିକ୍ଷାଦାନରେ ସହଯୋଗ କରିଥାନ୍ତି।