ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଦେଶରେ ଜାରି ରହିଥିବା କୃଷି ଆନ୍ଦୋଳନକୁ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କୁ ଭ୍ରମ ଏବଂ ଗୁଜବ ଠାରୁ ଦୂରରେ ରହି ଉଚିତ୍ ସୂଚନା ମିଳିବା ଆବଶ୍ୟକ ରହିଛି। ଦେଶର ଯେକୌଣସି ସ୍ଥାନରେ ଥିବା କୃଷକ କେନ୍ଦ୍ର ସରକାରଙ୍କ ନୂତନ ଆଇନ ଦ୍ଵାରା ସେମାନଙ୍କୁ କୌଣସି କ୍ଷତି ହେବ ନାହିଁ ବରଂ କୃଷକମାନେ ସଶକ୍ତ ହେବେ। ବହୁ ବିଚାର ବିମର୍ଶ କରିବା ପରେ ଭାରତୀୟ ସଂସଦ ନୂତନ କୃଷି ଆଇନ ପାରିତ କରିଛି। ଦେଶରେ କୃଷି ବିଷୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଗ୍ରାମର କୃଷକଙ୍କୁ କୃଷି ସୁଧାର ଏବଂ ଆଧୁନିକ କୃଷି ବିଲ ବିଷୟରେ ଜନ ଜାଗରଣ ସୃଷ୍ଟି କରି ଦେଶରେ ହେଉଥିବା ପରିବର୍ତ୍ତନରେ ସହଭାଗୀ ହେବାକୁ ଅପିଲ କରିଛନ୍ତି।
ଏହି ସମୟରେ ସେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର କୃଷକ ଜିତେନ୍ଦ୍ର ଭୋୟଜିଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଜିତେନ୍ଦ୍ର ତାଙ୍କ ଫସଲ ବିକ୍ରି କରିବା ପାଇଁ ଦାମ୍ ଧାର୍ଯ୍ୟ କରିଥିଲେ। ସମୁଦାୟ ଫସଲର ଦାମ୍ ୩ ଲକ୍ଷ ୩୨ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଜିତେନ୍ଦ୍ରଙ୍କୁ ପଚିଶ ହଜାର ଟଙ୍କା ଆଡଭାନ୍ସ ମଧ୍ୟ ମିଳିଥିଲା କିନ୍ତୁ ବାକି ଟଙ୍କା ତାଙ୍କୁ ପନ୍ଦର ଦିନରେ ପରିଶୋଧ କରାଯିବ ବୋଲି କୁହାଗଲା। କିନ୍ତୁ ପରବର୍ତ୍ତୀ ସମୟରେ ଜୀତେନ୍ଦ୍ରଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ, ତାଙ୍କୁ ବାକି ଟଙ୍କା ମିଳିଲା ନାହିଁ। ଚାରି ମାସ ପର୍ଯ୍ୟନ୍ତ ଅପେକ୍ଷା ସତ୍ତ୍ଵେ ଏହି ଅର୍ଥ ମିଳିଲା ନାହିଁ। ଫଳରେ ଜିତେନ୍ଦ୍ର ଆଇନର ସହାୟତା ନେଲେ। ଏହି ଆଇନ ଅନୁଯାୟୀ, ଫସଲ କିଣିବାର ତିନି ଦିନ ମଧ୍ୟରେ ତାଙ୍କୁ ଦର ଦିଆଯିବ ନଚେତ୍ କୃଷକ ଜଣଙ୍କ ଆଇନଗତ ଅଭିଯୋଗ କରିବେ। ଫଳରେ ଉକ୍ତ କ୍ଷେତ୍ରର ଏସଡିଏମଙ୍କୁ ଏକ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ। ଏହି ଉପାୟରେ ନୂତନ କୃଷି ଆଇନ ଜିତେନ୍ଦ୍ରଙ୍କ ପାଇଁ ସହାୟକ ହୋଇଥିଲା ଏବଂ ତାଙ୍କୁ କିଛି ଦିନ ମଧ୍ୟରେ ତାଙ୍କର ଫସଲର ପ୍ରାପ୍ୟ ମିଳିଥିଲା।
ଏଥିସହିତ ମନ୍ କି ବାତରେ ପ୍ରଧାନମନ୍ତ୍ରୀ କାନାଡାରୁ ମା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଫେରେଇ ଆଣିବା ନେଇ ଦେଶବାସୀଙ୍କୁ ଖୁସୀଖବର ଦେଇଛନ୍ତି। କାନାଡାରୁ ପ୍ରାୟ ୧୦୦ ବର୍ଷ ପୁରୁଣା ଦେବୀ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଫେରେଇ ଅଣାଯିବ। ଏହି ମୂର୍ତ୍ତିକୁ ବାରଣାସୀର ଏକ ମନ୍ଦିରରୁ ଚୋରି କରାଯାଇଥିଲା। ମାତା ଅନ୍ନପୂର୍ଣ୍ଣାଙ୍କ ସହ କାଶୀର ବିଶେଷ ସମ୍ବନ୍ଧ ରହିଛି। କିଛି ଦିନ ପୂର୍ବରୁ ବିଶ୍ଵ ଧରୋହର ସପ୍ତାହ ପାଳନ କରାଯାଇଥିଲା। ଏହା ସଂସ୍କୃତି ପ୍ରେମୀଙ୍କ ପାଇଁ ପଛକୁ ଫେରିବାର ଏକ ଅବସର। ଏବେ ଦେଶର ବହୁ ମ୍ୟୁଜିଅମ ଏବଂ ଲାଇବ୍ରେରୀର କଲେକ୍ସନ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ କରିବା ଦିଗରେ କାମ କରାଯାଉଛି। ଦିଲ୍ଲୀର ରାଷ୍ଟ୍ରୀୟ ସଂଗ୍ରହାଳୟ ଏହି ଦିଗରେ ମହାନ ଚେଷ୍ଟା କରୁଛି। ରାଷ୍ଟ୍ରୀୟ ସଂଗ୍ରହାଳୟ ଦ୍ଵାରା ପ୍ରାୟ ଦଶଟି ଭର୍ଚୁଆଲ ଗ୍ୟାଲେରୀ କରିବା ପାଇଁ ପ୍ରୟାସ କରାଯାଉଛି। ଏବେ ଆପଣ ଘରେ ବସି ରାଷ୍ଟ୍ରୀୟ ମ୍ୟୁଜିଅମର ଗ୍ୟାଲେରି ଦେଖିପାରିବେ।
ଭାରତର ସଂସ୍କୃତି ଏବଂ ଶାସ୍ତ୍ର ସର୍ବଦା ସମ୍ପୂର୍ଣ୍ଣ ଦୁନିଆ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ବହୁ ଲୋକ ଏହାର ଖୋଜ କରିବା ପାଇଁ ଭାରତ ଆସିଛନ୍ତି ଏବଂ ଏହିଠାରେ ରହିଯାଇଛନ୍ତି। ଏପରିକି ବହୁ ଲୋକ ନିଜ ଦେଶକୁ ଫେରି ଏହାର ପ୍ରଚାର ପ୍ରସାର କରିଛନ୍ତି। ଗୁରୁ ନାନକ ଦେବଙ୍କ ଲଙ୍ଗର ପରମ୍ପରା କଥା ସ୍ମରଣ କରି କରୋନା କାଳରେ ଶିଖ ସମୁଦାୟ ଦ୍ଵାରା କରାଯାଇଥିବା ସେବା ବିଷୟରେ କହିଛନ୍ତି ମୋଦୀ। ସେ କହିଛନ୍ତି ଯେ, ଆସନ୍ତାକାଲି ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୧ତମ ପ୍ରକାଶ ପର୍ବ। ଏତଦ୍ ବ୍ୟତୀତ ମୋଦୀ କରୋନା ବିରୋଧୀ ଲଢେଇକୁ ମଜବୁତର ସହ ଜାରି ରଖିବା ପାଇଁ ଦେଶର ଆବାଳ ବୃଦ୍ଧ ବନିତାଙ୍କ ନିକଟରେ ଅପିଲ କରିଛନ୍ତି। କରୋନା କାଳରେ ପ୍ରଧାନମନ୍ତ୍ରୀ ମୋଦୀ ସତର୍କ ରହିବାକୁ କହିଛନ୍ତି। କରୋନା ଭ୍ୟାକ୍ସିନ ବିଷୟରେ ଆଲୋଚନା କରି ମୋଦି କହିଛନ୍ତି ଯେ, ଦେଶବାସୀଙ୍କୁ ସାବଧାନ ରହିବା ସହ ଲଢେଇକୁ ମଜଭୁତ କରିବା ଉଚିତ୍।