ବିଧାନସଭାରେ ଥମୁନି ପରୀ ଝଡ, ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ଥମୁନି ପରୀ ହତ୍ୟା ମାମଲା ନେଇ ଝଡ। ଆଜି ଗୃହ ଆରମ୍ଭରୁ ବିଜେପି ସଦସ୍ୟଙ୍କ ହୋହାଲ୍ଲା। ବ୍ୟୟ ମଞ୍ଜୁରୀ ବିଲ ଉପରେ ଆଲୋଚନା ଚାଲିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଛନ୍ତି।

ଗୃହରେ ପୁଣି ଉଠିଲା ପରୀ ହତ୍ୟା ମାମଲା ପ୍ରସଙ୍ଗ। ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାକୁ ନେଇ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ। ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ବିରୋଧୀ ଦଳ। ଗୃହର ମଧ୍ୟଭାଗକୁ ଆସି ଆଜି ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଆଜି ବିଜେପିର ହଟ୍ଟଗୋଳ ମଧ୍ୟରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ କରାଯାଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବ୍ୟୟମଞ୍ଜୁରୀ ବିଲ ଆଗତ କରିଥିଲେ। ବ୍ୟୟ ମଞ୍ଜୁରୀ ବିଲ ଉପରେ ଆଲୋଚନା ଚାଲିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।