ନୂଆଦିଲ୍ଲୀ,ଏଜେନ୍ସି: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ସହିତ ଅକ୍ଟୋବର ୧ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚଳିତ ମାସ ୧୫ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୩ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପୁଅ ଫୈସଲ ପଟେଲ ଟୁଇଟ କରି ସୂଚନା ଦେଇଛନ୍ତି।
ଅହମ୍ମଦ ପଟେଲ ଏବେ ଗୁଜୁରାଟରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ମୋଟ ୭ଥର ସାଂସଦ ହୋଇଛନ୍ତି। ଏଥିସହିତ କଂଗ୍ରେସ ଦଳରେ ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଦୀର୍ଘ ବର୍ଷ ଧରି ସୋନିଆ ଗାନ୍ଧୀଙ୍କ ପରାମର୍ଶ ଦାତା ଭାବେ କାମ କରିଥିଲେ।