୫ ବର୍ଷଧରି ମାଟି ଖାଇ ବଞ୍ଚି ରହିଛି ପୁଷ୍ପା

ମାଲକାନଗିରି, କୋରୁକୋଣ୍ଡା,ଏନ୍ଏନ୍ଏସ୍: ଗତପାଞ୍ଚ ବର୍ଷ ଧରି ମାଟି ଖାଉଛି ଜଣେ ନାବାଳିକା ଝିଅ । କେବଳ ମାଟି ନୁହେଁ ଘରର ଇଟା କାନ୍ଥକୁ ମଧ୍ୟ ଖାଇ ଖାଇ ଘର ସାରା ଗାତ କରି ସାରିଲାଣି। ଖାଦ୍ୟ ବଦଳରେ ହାତରେ ଧରୁଛି ମାଟି ଗୁଣ୍ଡ । ଏହିଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ଠାରୁ ମାତ୍ର ୫ କିଲୋମିଟର ଦୁର ଚମ୍ପାଖାରୀ ଗାଁରେ। ଏହି ଗାଁର ନରସିଂହ ମାଢିଙ୍କ ବଡ଼ ଝିଅ ପୁଷ୍ପା ମାଢି ଗତ ପାଞ୍ଚବର୍ଷ ଧରି ଏପରି ମାଟି ଖାଉଛି । ପୁଷ୍ପାର ବୟସ ଏବେ ୧୪ ବର୍ଷ ହେଲେ ଦୁନିଆର ଆଲୋକ ବର୍ତ୍ତମାନ ସୁଦ୍ଧା ସେ ଭଲ ଭାବେ ଦେଖି ନାହିଁ। କାରଣ ଗତ ୧୦ ବର୍ଷ ଧରି ଘରର ଏକ ଅନ୍ଧାର କୋଠରୀ ଭିତରେ ରହୁଛି ସେ । ନିଜ ମାଆଙ୍କୁ ଛାଡି ଦେଲେ ଆଉ କାହାରି ସାଙ୍ଗରେ ସେ କଥା ମଧ୍ୟ ହୁଏ ନାହିଁ । ହେଲେ ଅର୍ଥ ଅଭାବରୁ ନିଜ ଝିଅର ଚିକିତ୍ସା କରି ପାରୁନଥିବା ଏହି ଗରିବ ଆଦିବାସୀ ପରିବାର ଲୋକେ ଏବେ ଗୁଣିଆ ଉପରେ ଭରଷା କରିଛନ୍ତି। ତେବେ ଏହି ମାଟି ଖିଆ ମଣିଷ ପୁଷ୍ପା ମାଢିଙ୍କ ସମ୍ପର୍କରେ ଜିଲ୍ଲା ସଦର ଚିକିତ୍ସାଳର ସୁପରିଟେଣ୍ଡାଣ୍ଟ ଡା, ଏ.କେ. ଭୋଳଙ୍କୁ ପଚାରିବାରୁ ମାଟି ଖାଇବା ହେଉଛି ଏକ ପାଇକା ରୋଗ ବୋଲି ସେ କହିଛନ୍ତି। ଜନ୍ମରୁ ପେଟରେ କୃମି ଜନିତ ରୋଗ ଥିଲେ ସେହି ପିଲାମାନେ ମାଟି ଖାଆନ୍ତି। ହେଲେ ପୁଷ୍ପା କ୍ଷେତ୍ରରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଅଲଗା। କାରଣ ପୁଷ୍ପା କେବଳ ମାଟି ଖାଇ ଗତ ପାଞ୍ଚ ବର୍ଷ ଧରି ଜୀବିତ ରହିଛି। ତେଣୁ ପୁଷ୍ପା ଖାଉଥିବା ମାଟିରେ କଣ ଉପାଦାନ ରହିଛି ତାହା ବୈଜ୍ଞାନିକ ପରୀକ୍ଷା ପରେ ହିଁ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି। ତେବେ ଏ ସମ୍ପର୍କରେ ଅବଗତ ହେବା ପରେ ପୁଷ୍ପାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମେଡିକାଲ ସୁପରିଟେଣ୍ଡାଣ୍ଟ ପ୍ରତିଶ୍ରୁତି ଦେଇଛନ୍ତି।