‘ପରୀ’ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ବିବୃତି ଦେବେ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ର ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।  ସୂଚନା ଯୋଗ୍ୟ, ଆଜି ବିଧାନସଭାର ସୁରକ୍ଷା ବଳୟ ଡେଇଁ ଏକ ଦମ୍ପତି ଦେହରେ ଡିଜେଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ତାଙ୍କର ୫ ବର୍ଷର ଝିଅ ‘ପରୀ’ର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ଏହି ଘଟଣା ପ୍ରକାଶ ପାଇବା ପରେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଥିଲେ-“ଜଣେ ମନ୍ତ୍ରୀ ମଣିଷ ମାରିଥିବା ପରିବାର ଲୋକ କହୁଛନ୍ତି। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି। ମନ୍ତ୍ରୀଙ୍କ କ’ଣ ସଂପୃକ୍ତି ରହିଛି ତାହା ଉପରେ ଗୃହରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖନ୍ତୁ। ଏହାଛଡ଼ା ଘଟଣା ସମ୍ପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ତର ରଖନ୍ତୁ।”

ସେହିପରି ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ  କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି  ଉଦବେଗ ପ୍ରକାଶ କରିଛନ୍ତି। କଂଗ୍ରେସ କହିଛି, ନୟାଗଡ଼ ପରୀ ହତ୍ୟାକାଣ୍ଡରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହେଉଛି। ସବୁ କାର୍ଯ୍ୟ ବନ୍ଦ କରି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ। ପୁଲିସ ନ୍ୟାୟ ଦେଲାନି ବୋଲି ନୟାଗଡ଼ରୁ ଆସି ପ୍ରତିବାଦ କରୁଛନ୍ତି। ଏଥିପାଇଁ ଦାୟୀ କିଏ, ପୁଲିସ କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ କରିଛନ୍ତି ତାରା ବାହିନୀପତି।