କୁଟିଆର ବିକାଶମୂଳକ କାର୍ଯ୍ୟ ୨୦୨୧ ଜାନୁଆରୀ ଶେଷସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ

କୋରାପୁଟ,ଏନ୍ଏନ୍ଏସ୍: ସ୍ଥାନୀୟ ସଦଭାବନା ସଭାଗୃହରେ କୋଟିଆ ପଞ୍ଚାୟତର ବିକାଶକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୋଟିଆରେ ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମକୁ ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟଜଳ ସୁବିଧା କରାଯିବା ସହ ବିଦ୍ୟୁତିକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁର, ଜିଲ୍ଲା ଶ୍ରମ ଅଧିକାରୀ ପିକେ ପାଣିଗ୍ରାହୀ, ବିଏସଏନଏଲ୍ ଜିଏମ୍ ବିପି.ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ମକରନ୍ଦ ବେଉରା ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପ-ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।