ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବରଗଡ଼ରୁ ପ୍ରକାଶିତ ପାକ୍ଷୀକ ପତ୍ରିକା ‘କୋଶଲ ଟାଇମସ୍’ ପକ୍ଷରୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ହୋଟେଲ ମେଘଦୂତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଦେଶବାସୀଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ସହିଦ ହୋଇଥିବା ପୁଲିସ ତଥା ଯବାନମାନଙ୍କୁ ମରୋଣାତ୍ତୋର ସମ୍ମାନ ଦିଆଯିବା ସହ ଜିଲ୍ଲାର ସ୍ୱତନ୍ତ୍ର ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କରୋନା ମହାମାରୀ ସଚେତନତା ସଂକ୍ରାନ୍ତରେ ୨୬୬ଟି ସ୍କୁଲର ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। ତୃତୀୟରୁ ଦଶମ ଯାଏ ତିନୋଟି ଗ୍ରୁପରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବ୍ରଜରାଜନଗର ନିର୍ବଚନମଣ୍ଡଳୀର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ, ଝାରସୁଗୁଡ଼ା ଏସ.ପି ରାହୁଲ ପିଆର, ଜିଲ୍ଲାକ୍ରୀଡା ସଙ୍ଘର ସମ୍ପାଦକ ତାପସ ରାୟ ଚୌଧୁରୀ, ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପ୍ରଫୁଲ୍ଲ ମାଝୀ, କଟକ ଗୋବିନ୍ଦପୁର ଡିଗ୍ରୀ କଲେଜର ଅଧ୍ୟାପକ ଡଃ.ଶୁଭ୍ରାଂଶୁ ପଟ୍ଟନାୟକ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ଓଡ଼ିଶା କ୍ରିକେଟ ଆସୋସିଏସନ ଯୁଗ୍ମ ସମ୍ପାଦକ ମେହେତାବ ଖାନ, ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷା ବଲବିନ୍ଦର କୌର କୋଶଲ ଟାଇମର ସମ୍ପାଦକ ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।