ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପାଣୁଚରଣ ମଣ୍ଡଲ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମାନ ଅତିବୁଦ୍ଧିଙ୍କ ଠାରୁ ଗାଡ଼ି ଭଡା ବାବଦରେ ବିଲ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଗତ ଅକ୍ଟୋବର ୨୦ ତାରିଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅତିବୁଦ୍ଧିଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଥିଲା। ଏଥିରେ ମେଡ଼ିକାଲ ଅଫିସରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏନେଇ ଆଜି ସକାଳୁ ଭିଜିଲାନ୍ସ ପାଣୁଚରଣଙ୍କ ଘରେ ଚଢ଼ଉ କରି ଗିରଫ କରିଛି। ଏଥିସହିତ ତାଙ୍କ ନିକଟରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ହୋଇଥିବା ଜଣାପଡ଼ିଛି।