ଧବଳେଶ୍ୱର ପୀଠ ଓ ମୁଖ୍ୟ ରାସ୍ତା ସହିତ ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି

କଟକ/ପୁରୀ,ଏନ୍ଏନ୍ଏସ୍: କଟକ ଜିଲ୍ଲା ଆଠଗଡର ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଲାଗୁ କରାଯାଇଛି। ପାଇକପୁର ଛକରୁ ମଞ୍ଚେଶ୍ୱର ଛକ ଯାଏଁ ୧୪୪ ଧାରା ଜାରି ହେବା ସହ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏହି କଟକଣା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ପ୍ରଶାସନ ଜାରି ରଖିଛି। କୋଭିଡ଼ ନିୟମ ଅନୁଯାୟୀ, ଭିଡ଼ ନହେବା ପାଇଁ ତଥା ସୁରକ୍ଷା ଦୃଷ୍ଟିରୁ ଏଭଳି କଟକଣା ଲାଗୁ କରାଯାଇଛି।

ସେହିପରି ଆଜି ହେଉଛି ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ମଧ୍ୟରାତ୍ରରୁ ୧୪୪ ଧାରା ଲାଗୁ କରାଯାଇଛି। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ, ମନ୍ଦିର ଚାରିପାଖ ୨୦୦ ମିଟର ଯାଏଁ ମଧ୍ୟ ଏହା ଲାଗୁ କରାଯାଇଛି। ଅଁଳା ନବମୀ ଅବସରରେ ଜନ ସମାଗମ ନହେବା ପାଇଁ ତଥା ସଂକ୍ରମଣ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ନିୟମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଏହାସହ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।