ଝିଅକୁ କିରାସିନ ଢ଼ାଳି ପୋଡ଼ିଦେଲା ବାପା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଡିବିରପାଲି ଗାଁରେ ଅମାନବୀୟ କାଣ୍ଡ। ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ନାବାଳିକା ହେଲେ ସୂର୍ଯ୍ୟକାନ୍ତୀ ନାଗ(୧୬)। ସୂଚନା ଅନୁସାରେ ସୂର୍ଯ୍ୟକାନ୍ତୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଝିଅର ବାପା ଅରକ୍ଷିତ ନାଗ ହିଁ ଏଭଳି କାଣ୍ଡ ଘଟାଇଥିବା ନେଇ ସୂର୍ଯ୍ୟକାନ୍ତୀର ମାମୁଁ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅରକ୍ଷିତ ଦୁଇଟି ବିବାହ କରିଥିବାବେଳେ ସୂର୍ଯ୍ୟକାନ୍ତୀ ହେଉଛି ପ୍ରଥମ ସ୍ତ୍ରୀର ଝିଅ। ଝିଅ ଛୋଟ ସମୟରୁ ମାମୁଁ ଘରେ ରହୁଥିଲା। ଗତ ୧୫ ଦିନ ତଳେ ଗାଁରେ ବୈଠକ ପରେ ବାପା ପାଖକୁ ଆସିଥିଲା ସୂର୍ଯ୍ୟକାନ୍ତୀ। କିନ୍ତୁ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିଲା। ତେଣୁ ତାର ବାପା ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁଁ ଘର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ସୂର୍ଯ୍ୟକାନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି।